ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ରଥ ନିର୍ମାଣ ସମୀକ୍ଷା

68

ପୁରୀ : ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଅନୁକୂଳ ଓ ପରେ ପରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଆଜି ପଂଚମ ଦିନରେ ରଥକାର୍ଯ୍ୟ ଆଗେଇ ଚାଲିଛି । ରଥକାଠ ଯୋଗାଣ, ସେବାୟତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଓ କଟକ ଖପୁରିଆ ସମିଲ୍ କାଠ ପଠାଇବା ସମ୍ପର୍କରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିସନ କୁମାର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ରଥଖଳାରେ ୮୮ ଜଣ ସେବାୟତ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ।

ସେଥିମଧ୍ୟରୁ ୪୦ ଜଣ ମହାରଣା, ୩୧ ଜଣ ଭୋଇ ସେବାୟତ, ୧୩ ଜଣ କମାର ସେବାୟତ ଓ ୪ ଜଣ କରିତିଆ ରହିଛନ୍ତି । ଖପୁରିଆ ସମିଲରୁ ରଥ ନିର୍ମାଣରେ ଯେଉଁ ଦିନ ଯେଉଁ କାଠ ଆବଶ୍ୟକ ହେବ ତା ପୂର୍ବରୁ ରଥଖଳା ନିକଟକୁ ଯୋଗାଇ ଦେବା ପାଇଁ ସମିଲ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ନୃସିଂହ ଚତୁର୍ଦ୍ଦଶୀ ଦିନ ରଥର ଗୁଜ ଅନୁକୂଳ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ରଥଯାତ୍ରାରେ ସବୁଠୁ ବଡ ସମସ୍ୟା ହେଉଛି ସେବାୟତଙ୍କ କରୋନା ସଂକ୍ରମଣ ଭୟ । ସେଥିପାଇଁ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କର କରୋନା ଟେଷ୍ଟ କରାଯାଇଛି । ଏହା ସହ ଅଧିକାଂଶ ସେବାୟତଙ୍କୁ ଟୀକା ମଧ୍ୟ ଦିଆଯାଇଛି । କୋଭିଡ୍ ସଂକ୍ରମଣ ଭିତରେ ଯୁଗ ଯୁଗ ଧରି ଚାଲିଆସୁଥିବା ଆମ ସଂସ୍କୃତି ଓ ପରମ୍ପରା ଏବଂ ମହାପ୍ରଭୁଙ୍କର ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା ପାଇଁ ଚେଷ୍ଟା କରାଯାଉଛି । ସବୁ କାର୍ଯ୍ୟ ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି ।

କୋଭିଡ୍ କଟକଣା ମାନି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ଗାଇଡ୍ ଲାଇନ ଅନୁଯାୟୀ କାମ ଚାଲିଛି । କେତେକ ସେବକଙ୍କ କରୋନା ପରୀକ୍ଷା କରାଯାଇଛି । ସେମାନେ ଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ରହିଛନ୍ତି । ପରୀକ୍ଷାର ୪୦ ଘଂଟା ପରେ ରିପୋର୍ଟ ଆସିଲେ ନେଗେଟିଭ୍ ଥିବା ସେବାୟତମାନେ ରଥ କାର୍ଯ୍ୟ କରିବେ । ପଜେଟିଭ୍ ଥିବା ସେବାୟତମାନଙ୍କୁ କରୋନା କେୟାର ସେଂଟରରେ ରଖାଯିବ । ସେମାନଙ୍କର ସମସ୍ତ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଦେଖାଶୁଣା କରିବ । ରଥଖଳାରେ ସାମାଜିକ ଦୂରତା ଯଥାସମ୍ଭବ ରକ୍ଷା କରାଯାଉଛି । ଗତବର୍ଷ ସେବାୟତମାନଙ୍କୁ ସମ୍ବଲପୁରୀ କପଡ଼ାରେ ମାସ୍କ ଦିଆଯାଇଥିଲା । ଏ ବର୍ଷ ଏମ-୯୫ ମାସ୍କ ଯୋଗାଇ ଦିଆଯିବ ।

ରଥଖଳା ଉପରେ ପ୍ରବେଶ ଉପରେ କଟକଣା ଜାରି ରହିଛି । ସାମ୍ବାଦିକମାନଙ୍କୁ ଫଟୋ ଓ ଭିଡ଼ିଓ ଠିକ୍ ସମୟରେ ଯୋଗାଇ ଦିଆଯିବ । ପ୍ରତିଦିନ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସେବାୟତଙ୍କ ମଧ୍ୟରୁ ୮ ଜଣ ସେବାୟତ କରୋନା ପଜେଟିଭ୍ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣ ଭୋଇ ସେବାୟତ, ୩ ଜଣ ମହାରଣା ଅଛନ୍ତି । ସେମାନଙ୍କୁ କୋଭିଡ୍ କେୟାର ସେଂଟରରେ ରଖାଯାଇଛି । ଗଣମାଧ୍ୟମର ପ୍ରତିନିଧିମାନେ ସଠିକ୍ ଖବର ପ୍ରସାରଣ କରିବା ପାଇଁ ମୁଖ୍ୟ ପ୍ରଶାସକ ନିବେଦନ କରିଥିଲେ । ସବୁଠାରୁ ରଥକାର୍ଯ୍ୟରେ ନିୟୋଜିତ ମହାରଣା, ଭୋଇ ସେବାୟତ, ରୂପକାର, କମାର ଓ ଶ୍ରୀମନ୍ଦିର କର୍ମଚାରୀ ଘରଦ୍ୱାର ତ୍ୟାଗକରି ମହାପ୍ରଭୁଙ୍କୁ ଆସ୍ଥାକରି ରଥ ନିର୍ମାଣ ପାଇଁ ସମୟ ଦେଇଛନ୍ତି । ଆଜିଠାରୁ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରତିଦିନ ରଥଖଳା ସଂପର୍କରେ ସମୀକ୍ଷା କରିବା ସହ ତଥ୍ୟ ପ୍ରଦାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିସନ କୁମାର ପ୍ରକାଶ କରିଥିଲେ ।

Comments are closed.