୨୪ରେ ବ୍ୟାତ୍ୟାର ରୂପ ନେବ “ୟଶ୍’, ୨୬ରେ ଲ୍ୟାଣ୍ଡଫଲ୍ ! ଆଲର୍ଟରେ ଉପକୂଳର ୧୧ ଜିଲ୍ଲା

76

-୨୬ରେ ଉତ୍ତର ଓଡ଼ିଶା ଉପକୂଳରୁ-ବାଂଲାଦେଶରେ ଲ୍ୟାଣ୍ଡଫଲ
-୨୨ରୁ ପ୍ରବଳ ବର୍ଷା ଆରମ୍ଭ୍ନ
-ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ
-ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ରଣନୀତି

ଭୁବନେଶ୍ୱର : ୨୬ ତାରିଖ ସକାଳେ ଉତ୍ତରଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ସମ୍ଭାବ୍ୟା ବାତ୍ୟା ‘ୟଶ’। ଏଥିନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ବାତ୍ୟାର ପ୍ରଭାବ ୨୫ ତାରିଖ ରାତିରୁ ପଡ଼ିପାରେ । ଏହି ସମୟରୁ ବର୍ଷା ଆରମ୍ଭ ହୋଇଯିବ । ବାତ୍ୟାର ମୁକାବିଲାକୁ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ମୁକାବିଲା ରଣନୀତି କରାଯାଇଛି । ସବୁ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ୧୧ଟି ଉପକୂଳ ଜିଲ୍ଲାକୁ ସଜାଗ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ଭିତ୍ତିଭୂମି ସହ ଆଶ୍ରୟସ୍ଥଳୀ ସଜାଡିବାକୁ କୁହାଯାଇଛି । ଏନ୍ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ଆଲର୍ଟ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଘନ ଘନ ବୈଠକ କରି ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆଜି ଆଇଏମ୍ଡି ଡିଜି ଏବଂ ବିଭିନ୍ନ ବିଭାଗ ସଚିବଙ୍କ ସହ ଶ୍ରୀ ଜେନା ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପୂର୍ବରୁ ଲୋକଙ୍କୁ କିରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ ରାସ୍ତାଘାଟ ସଫା କରି ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ ପହଞ୍ଚାଯାଇପାରିବ ଓ ବିଜୁଳି ସଂଯୋଗ କିରି ପ୍ରଭାବିତ ନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏସ୍ଆର୍ସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ କେଉଁ ସ୍ଥାନକୁ ଫାୟାର, ଏନ୍ଡ଼ିଆରଏଫ୍, ଓଡ୍ରାଫର କେତୋଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି ।

ବାତ୍ୟା ପରବର୍ତ୍ତୀ ସମୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ପାନୀୟଜଳ ଯୋଗାଣ ପାଇଁ ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବିଜୁଳି ସଂଯୋଗ ଲାଗି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁଇପ୍ମେଣ୍ଟ ଲାଗିବ ତାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରେ କିପରି ତୁରନ୍ତ ରାସ୍ତାଘାଟ ସଫା କରାଯାଇ ଯାତାୟାତ ସୁବିଧା ହୋଇପାରିବ ସେଥିଲାଗି ପ୍ରସ୍ତୁତ ରହିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ହୋଇ କ୍ରମେ ଏହା ୨୩-୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । ତେବେ ଏହା ଭୀଷଣରୁ ଅତି ଭୀଷଣ ଆକାର ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ କେଉଁଠି ଉପକୂଳ ଛୁଇଁବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସଠିକ୍ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

୨୨ ତାରିଖ ସୁଦ୍ଧା ଯେଉଁ ମତ୍ସଜୀବୀ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟମାନେ କି ରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ବାତ୍ୟା ଆଳରେ ଯେପରି ବଜାରରେ ବ୍ଲାକ୍ ମାର୍କେଟିଂ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି । ଗତକାଲି ଉପକୂଳବର୍ତ୍ତୀ ଜିଲ୍ଲାର ୧୦ ଜିଲ୍ଲାପାଳ, ଏସ୍ ପି, ଅଗ୍ନିଶମ ଅଧିକାରୀ ଓ ଜରୁରିକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସ୍ଆରସି । ବିପନ୍ନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ, ଶିଶୁଙ୍କୁ ଖାଦ୍ୟ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୃଦ୍ଧ, ଅସୁସ୍ଥ, ଭିନ୍ନକ୍ଷମ ଓ ଅସହାୟ ବର୍ଗଙ୍କୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ କୋଭିଡ୍ ସମୟରେ ବାତ୍ୟା ମୁକାବିଲା ସରକାରଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କୋଭିଡ୍ ଗାଇଡ୍ଲାଇନ୍ ଭିତରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପୁନଃରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି ।

Comments are closed.