ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ : ଏସଆରସି

73

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସ୍ ର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ । ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି । କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି । ଆଶ୍ରୟ ସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇିଛନ୍ତି । 

ସେ କହିଛନ୍ତି ଯେ ୧୭ଟି ଏନଡ଼ିଆରଫ,୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ ପଠାଯିବ । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି । ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।ଜିଲ୍ଲା କୋଭିଡ କେୟାର ସେଂଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହା ବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି ।

Comments are closed.