ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ପ୍ରତିଟି ଜୀବନ ମୂଲ୍ୟବାନ

63

-ଅକ୍ସିଜେନ୍ ଯୋଗାଣରେ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ପରାମର୍ଶ ସ୍ଥାନାନ୍ତର କାର୍ଯ୍ୟ ତଦାରଖ କରିବେ ଜିଲ୍ଲାପାଳ ଓ ଏସ୍ ପି ଲୋକଙ୍କୁ ନିରାପଦ ସ୍ଥାନାନ୍ତର ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ୟଶ୍ ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୩ହଜାର ପ୍ରଶିକ୍ଷିତ କର୍ମଚାରୀଙ୍କୁ ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତ ଓ ପରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିାଗ ବିଭାଗ କହିଛି । ତେବେ ଆସନ୍ତାକାଲି ସୁଦ୍ଧା ଏହି ବାତ୍ୟାର ରୂରେଖ, ଗତି ଓ ବେଗ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିବ ।

ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଏସ୍ଆର୍ସି ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ତେବେ ବାତ୍ୟାରେ ଜନଜୀବନ ଯେଭଳି ନଷ୍ଟ ନହୁଏ ସେଥ୍ରିତି ବିଶେଷ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସମସ୍ତ ତଳିଆ ଅଞ୍ଚଳ ଓ କଚ୍ଚାଘରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏବେ କୋଭିଡ୍ ସମୟ ହୋଇଥିବାରୁ ଗୋଟିଏ ଗୋଟିଏ ଆଶ୍ରୟସ୍ଥଳୀରେ କମ୍ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯେଭଳି ମହଜୁଦ୍ ରହିବ,ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲ ଗୁଡ଼ିକରେ ରୋଗୀସେବା ଯେଭଳି ବାଧାପ୍ରାପ୍ତ ନହେବ ସେଥିପାଇଁ ଜେନେରେଟର ସେଟ୍, ପାନୀୟଜଳ ସମେତ ଡାକ୍ତର ଓ ନର୍ସଙ୍କ ରହିବା ଏବଂ ଖାଇବା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ହସ୍ପିଟାଲଗୁଡ଼ିକରେ ବ୍ୟାପକ ପରିମାଣର ଅକ୍ସିଜେନ୍ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ଅକ୍ସିଜେନ୍ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସକୁ ମଧ୍ୟ ଅକ୍ସିଜେନ୍ ଯୋଗାଣ, ପରିବହନ ଓ ରିଫିଲିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରାୟ ୩ହଜାର ପ୍ରଶିକ୍ଷିତ କର୍ମଚାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ଆସନ୍ତାକାଲି ପଠାଯିବ । ସେମାନେ ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକରେ ଡେରା ପକାଇବେ ।

ଏହି ଉଦ୍ଧାରକାରୀ ଦଳରେ ୨୨ଟି ଏନ୍ଡିଆର୍ଏଫ୍ ଟିମ୍ (ପ୍ରତି ଟିମରେ ୨୫ରୁ ୩୦ଜଣ), ୬୬ଟି ଓଡ୍ରାଫ୍ ଟିମ୍ (ପ୍ରତି ଟିମ୍ରେ ୧୦ରୁ ୧୫), ୧୭୭ଟି ଫାୟାର ସର୍ଭିସ୍ ଟିମ୍ ଓ ବନ ବିଭାଗର ୩୫ଟି ଗଛ କଟାଳୀ ଟିମ୍ (ପ୍ରତି ଟିମରେ ୧୦ରୁ ୧୫ଜଣ) ରହିବେ । ଏମାନଙ୍କ ଛଡ଼ା ପ୍ରତି ଜିଲ୍ଲାରେ ରୋଡ୍ କ୍ଲିୟରାନ୍ସ ଟିମ୍, ପାନୀୟ ଜଳଯୋଗାଣ ଟିମ୍, ବିଦ୍ୟୁତ, ଟେଲିକମ୍, ଆରଡି, ପୂର୍ତ୍ତ ଓ ଜଳସମ୍ପଦ ବିଭାଗକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ନ୍ୟସ୍ତ କରାଯାଇଛି । ମୁଣ୍ଡଳୀରେ ଏନ୍ଡିଆର୍ଏଫ୍ର ୧୭ଟି ଟିମ୍ ଥିବାବେଳେ ରାଜ୍ୟ ସରକାର ଆଉ ୫ଟି ଏନ୍ଡିଆର୍ଏଫ୍ ଟିମ୍କୁ ବାହାରୁ ମଗାଇଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Comments are closed.