ସିଲେରୁ ନଦୀରେ ଡ଼ଙ୍ଗା ବୁଡି ଜଣେ ମୃତ ୭ ନିଖୋଜ

50

ମାଲକାନଗିରି : ଗତ କାଲି ରାତିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଆନ୍ଧ୍ର ଓଡିଶା ସୀମାନ୍ତ  ସିଲେରୁ ନଦୀରେ ଦୁଇଟି ଦେଶୀ ଡଙ୍ଗା ବୁଡିଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ନଦୀ ଗର୍ଭରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୭ ଜଣ ନିଖୋଜ ଅଛନ୍ତି। ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ। ଗତକାଲି ବହୁ କଷ୍ଟରେ କରୋନା  କଟକଣା ଡରରେ ସେମାନେ ଗତକାଲି ବିଳମ୍ବିତ ରାତିରେ ଲୁଚି ଛପି ସିଲେରୁ ନଦୀ ପାର ହେଉଥିଲେ ।

ସେମାନଙ୍କ ମଧ୍ୟରେ ୧୦ ଜଣ ବୟସ୍କ ଏବଂ ଜଣେ ଶିଶୁ ଥିଲେ। ଦୁଇଟି ଦେଶୀ ମାଛ ଧରା ଡଙ୍ଗାରେ ସେମାନେ ଆଗ ପଛ ହୋଇ ଫେରୁଥିବାବେଳେ ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପ୍ରଥମ ଡ଼ଙ୍ଗାରେ ଥିବା ଛଅ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ। ସେହି ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ଡ଼ଙ୍ଗାରେ ଥିବା ଲୋକମାନେ ବୁଡ଼ି ଯାଇଥିଲେ। ସେଥି ମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଲା ପରେ ଉକ୍ତ ଖବର ଗାଁରେ ଲୋକମାନେ ଜାଣି ନଦୀ ଘାଟରେପହଞ୍ଚି  ଖୋଜାଖୋଜି କରିଥିଲେ। ଖବର ପାଇ ରାତି ୧୦.୩୦ଟାରେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଆର୍‍ମ୍ଭ କରିଥିଲା।

ସୂଚନା ଅନୁଯାୟୀ ଦୁଇଟି ଡ଼ଙ୍ଗାରେ ଥିବା ଏଗାର ଜଣଙ୍କ ଲୋକ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି। ନଦୀରୁ ଜଣେ ତିନି ବର୍ଷର ଝିଅର ମୃତ ଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି ଜାରି ରହିଛି। ଉକ୍ତ ସାତ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣା ପଡିଛି। ଏମାନେ ତେଲେଙ୍ଗାନାର ହାଇଦରାବାଦର ସାଙ୍ଗାରେଡି ଠାରେ  ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ।ପ୍ରକାଶ ଥାଉ କି ଗତ ମଙ୍ଗଳବାର ଦିନ ବାଲିମେଳା ଜଳ ଭଣ୍ଡାର ର ଓରାପଦର ଠାରେ ଡ଼ଙ୍ଗା ବୁଡି ୩ ଜଣ ମୃତ୍ୟୁ ବରଣ କରିଥିଲେ ।

Comments are closed.