ବିପଦ ସଂକୁଳ କୋଠାରେ ଚାଲିଛି ବିଇଓ କାର୍ଯ୍ୟାଳୟ

54

ଚନ୍ଦାହାଣ୍ଡି : ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍  ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ କୋଠାରେ ଚାଲିଥିଲେ ହେଁ ଏଥିପ୍ରତି କାହାରି ନଜର ନପଡିବା ପରିତାପର ବିଷୟବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ୨୦୧୩ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର  ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏସଆଇ ଓ ଡିଆଇ ପଦବିକୁ ଉଚ୍ଛେଦ କରାଯାଇ ପ୍ରତି ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା । ସେହି ସମୟରେ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ଏକ କୋଠାରେ ଚନ୍ଦାହାଣ୍ଡି ବିଇଓ କାର୍ଯ୍ୟାଳୟ ଖୋଲା ଯାଇଥିଲା । ବିକଳ୍ପ ନଥିବାରୁ ଦୀର୍ଘ ବର୍ଷ ହେବ ଏହି ବିପଦ ସଙ୍କେତ କୋଠାରେ ବିଇଓ କାର୍ଯ୍ୟାଳୟ ଚାଲିଛି ।

ଚନ୍ଦାହାଣ୍ଡି ବିଇଓ କାର୍ଯ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ୨ ଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ୭ ଜଣ ସିଆରସିସି, ୩ ଜଣ କିରାଣି, ୨ ଜଣ ବିଆରଟି କାର୍ଯ୍ୟ କରୁଛନ୍ତି । ଏଥିସହ ଏହି କୋଠାରେ ମଧ୍ୟାହ୍ନ ଭୋଜନ ବିଭାଗର କାର୍ଯ୍ୟାଳୟ ଚାଲୁଛି । ଏପରିକି  ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସର୍ଭିସ ବୁକ ଓ ଅନ୍ୟାନ୍ୟ  ଜରୁରି କାଗଜ ପତ୍ର ସମେତ ଛାତ୍ର ଛାତ୍ରୀ  ଏଠାରେ ରହିଛି ।  ଆବଶ୍ୟକ ଗୃହ ନଥିବାରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆସୁଥିବା ପୁସ୍ତକ ମଧ୍ୟ ରହୁଛି । ଏହି ଅସୁରକ୍ଷିତ ଗୃହରେ ଅନେକ ସମୟରେ ବିଷଧର ସାପ ପ୍ରବେଶ କରିଥିବା କର୍ମଚାରୀ ମାନେ କହିଛନ୍ତି । ଏହି କୋଠାଟି ବିପଦ ସଂକୁଳ ଅବସ୍ଥାରେ ଥିବା ଛାତରେ ଅନାବନା ଗଛ ସବୁ ଉଠିଛି । ଏଭଳି ବିପଦ ସଂକୁଳ କୋଠାରେ କାମ କରିଥିବା କର୍ମଚାରୀଙ୍କ ପ୍ରତି ବିପଦ ରହିଥିଲେ ମଧ୍ୟ  ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡୁନି । ଶୀଘ୍ର ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments are closed.