କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ : ଟିକାଦର ଭିନ୍ନ ଭିନ୍ନ କାହିଁକି ?

72

-କୋ-ୱିନ୍ ପୋର୍ଟାଲରେ ଭ୍ୟାକ୍ସିନ୍ ସ୍ଲଟ୍ ବୁକିଂ ନେଇ ଉଦ୍ବେଗ
-ବିଭିନ୍ନ ରାଜ୍ୟର ଗ୍ଲୋବାଲ୍ ଟେଣ୍ଡରକୁ ନେଇ ଉଠାଇଲେ ପ୍ରଶ୍ନ
-୪୫ ବର୍ଷରୁ କମ୍ ବର୍ଗଙ୍କୁ କାହିଁକି କେନ୍ଦ୍ର ଦେଉନି ଭ୍ୟାକ୍ସିନ୍
-୨ ସପ୍ତାହ ଭିତରେ କୋଭିଡ୍ ଟିକା ପଲିସି ମାଗିଲେ ଏସ୍ସି

ନୂଆଦିଲ୍ଲୀ : ଟିକାନୀତିକୁ ନେଇ କେନ୍ଦ୍ରକୁ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି । ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ବା ଗ୍ଲୋବାଲ୍ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି । ସେହିପରି ଟିକା କମ୍ପାନୀ ପାଖରୁ କେନ୍ଦ୍ର ଓ ରାଜ୍ୟ ଭିନ୍ନ ଭିନ୍ନ ଦରରେ କିଣୁଛନ୍ତି । ଏଭଳି ପାତରଅନ୍ତର ନୀତିକୁ ନେଇ ଏବେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ।

ସେହିପରି କୋୱିନ୍ ଆପ୍ ରେ ପଞ୍ଜିକରଣ ଅର୍ନିବାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମ୍କୋର୍ଟ । ଗ୍ରାମାଞ୍ଚଳରେ ରହୁଥିବା ଲୋକ କିମ୍ବା ପ୍ରବାସୀ ଶ୍ରମିକ କୋ-ୱିନ୍
ଆପ୍ ଜରିଆରେ ଟିକା ବୁକିଂ କରିପାରିବେ ବୋଲି ସରକାର ସୁନିଶ୍ଚିତ କରିପାରିବେ କି ପ୍ରଶ୍ନ କରିଛନ୍ତି ? ତେବେ ସରକାର କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମ୍ପୂର୍ଣ୍ଣ ହେବ । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଡି. ୱାଇ ଚନ୍ଦ୍ରଚୁଡ, ଏଲ୍.ଏନ୍ରାଓ ଏବଂ ଏସ୍.ରବୀନ୍ଦ୍ର ଭଟ୍ଟ ଶୁଣାଣି କରିବା ବେଳେ କହିଛନ୍ତି, କେନ୍ଦ୍ର ସରକାର ୪୫ରୁ ଅଧିକ ବୟସ୍କଙ୍କ ପାଇଁ ରାଜ୍ୟକୁ ୧୦୦ ପ୍ରତିଶତ ଟିକା ଦେଉଛନ୍ତି । ହେଲେ କୋଭିଡର ଦ୍ୱିତୀୟ ଲହର ବେଳେ ଅଧିକ ସଂକ୍ରମିତ ଓ ମୃତ୍ୟୁ ଘଟିଛି ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ।

ସରକାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି । ଏପରି ସ୍ଥିତିରେ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାତ୍ର ୫୦ ପ୍ରତିଶତ କେଉଁ ଆଧାରରେ ଟିକା ଦେଉଛନ୍ତି ବୋଲି ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଏହାବାଦ୍ ସୁପ୍ରିମ୍କୋର୍ଟ କେନ୍ଦ୍ରକୁ ପ·ରିଛନ୍ତି ଯେ, ବିଦେଶରୁ କୋଭିଡ ଟିକା କିଣିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରୁଛନ୍ତି, ଏହା ସରକାରଙ୍କ ନୀତି କି? କେନ୍ଦ୍ର ଏହାର ଜବାବରେ କହିଛି ଯେ ସମଗ୍ର ଜନସଂଖ୍ୟାର ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଦିଆଯିବ । ଫାଇଜର ଭଳି କମ୍ପାନୀ ସହିତ କେନ୍ଦ୍ର ଆଲୋଚନା କରୁଛି । ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମାପ୍ତ କରିବାର ସମୟସୀମା ମଧ୍ୟ ବଦଳିଯିବ ।

Comments are closed.