ଅର୍ଥନୀତି ଉପରେ କରୋନା ପ୍ରହାର : ୪୦ବର୍ଷରେ ସର୍ବନିମ୍ନ ଜିଡିପି ବିଯୁକ୍ତ ୭.୩%

49

-ଆଗକୁ ଜିଡିପି ଆହୁରି ଖସିବା ସମ୍ଭାବନା
-୨୦୧୯-୨୦ରେ ଅଭିବୃଦ୍ଧି ଥିଲା ୪%

ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଉପରେ କୋଭିଡ୍ ପ୍ରହାର । ଭୁଶୁଡ଼ିଲା ଦେଶର ଅର୍ଥ ବ୍ୟବସ୍ଥା । ମହାମାରୀ କରୋନା ମାଡ଼ରେ ଘାଇଲା ହୋଇଥିବା ଦେଶର ଜିଡିପି ୨୦୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୩%ରେ ପହଞ୍ôଚଛି । ଯାହା ଦୀର୍ଘ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଏଭଳି ଖରାପ ଅବସ୍ଥା ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ, ମାର୍ଚ୍ଚ କ୍ୱାର୍ଟରରେ ଦେଶର ଜିଡିପି ୧.୬% ରହିଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୩% ହ୍ରାସ ଘଟିଛି । ୨୦୧୯-୨୦ରେ ଏହା ୪% ବୃଦ୍ଧି ଘଟିଥିଲା । ଏହା ମଧ୍ୟ ୧୧ ବର୍ଷ ମଧ୍ୟରେ ସବୁଠାରୁ କମ୍ । କରୋନା ଯୋଗୁ ଉତ୍ପାଦନ ଓ ନିର୍ମାଣ କାମ ବନ୍ଦ ରହିଥିବାରୁ ଅର୍ଥନୀତି ଅଭିବୃଦ୍ଧିରେ ଏପରି ହ୍ରାସ ଘଟିଥିବା ସରକାର କହିଛନ୍ତି ।

କରୋନା ମାଡ଼ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ପୂର୍ବରୁ ବିଯୁକ୍ତ ୮% ରହିବ ବୋଲି ସରକାର ଆକଳନ କରିଥିଲେ । ହେଲେ ଏବେ ଏଥିରେ ସାମାନ୍ୟ ସୁଧାର ଆସିଛି । ଜିଡିପି ମାଇନସ୍ ୭.୩% ରହିଛି । ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ୍ ଯାଏ ଲାଗିଥିଲା ଲକ୍ଡାଉନ୍ । ଜୁଲାଇ ବେଳକୁ ଅନ୍ଲକ୍ ଆରମ୍ଭ ହୋଇଥିଲା । କୋଭିଡ୍ର ପ୍ରଭାବ ଅର୍ଥନୀତି ଉପରେ ଜୋରଦାର ଭାବେ ପଡ଼ିଛି । ୨୦୨୦-୨୧ରେ ଏପ୍ରିଲ୍-ଜୁନ୍ ରେ ଅଭିବୃଦ୍ଧି ବିଯୁକ୍ତ ୨୩.୯%, ଜୁଲାଇ-ସେପ୍ଟେମ୍ବରରେ ବିଯୁକ୍ତ ୭.୫%, ଅକ୍ଟୋବର-ଡିସେମ୍ବରରେ ୦.୪% ରହିଥିଲା । ୨୦୨୧ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ପ୍ରାୟ ସବୁକିଛି ଖୋଲିଥିଲା । ତଥାପି ଅଭିବୃଦ୍ଧି ୧.୬% ରହିଛି ।

ତେବେ ଚଳିତ ଆର୍ଥିକ ବର୍ଷରେ କିଛି ରାଜ୍ୟ ଏପ୍ରିଲରୁ ଆଉ କିଛି ରାଜ୍ୟ ମେ’ ମାସରୁ ଲକ୍ଡାଉନ୍ ଲଗାଇଛନ୍ତି । ତେଣୁ ୨୦୨୧ ଏପ୍ରିଲ-ଜୁନ୍ ରେ ଅଭିବୃଦ୍ଧି ହ୍ରାସ ନେଇ ଆଶଙ୍କା ରହିଛି । ଦେଶର ବିତ୍ତୀୟ ନିଅଣ୍ଟ ୭୮ ହଜାର କୋଟି ରହିଛି । ଗତବର୍ଷ ଏହା ୨.୯ ଲକ୍ଷ କୋଟି ରହିଥିଲା । ଏହାର ଅର୍ଥ ବୀତ୍ତିୟ ନିଅଣ୍ଟରେ ସୁଧାର ଆସିଛି । ୮ ମୌଳିକ କ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ବିଶୋଧନ ଉତ୍ପାଦ, ସାର,ଇସ୍ପାତ, ସିମେଣ୍ଟ, ବିଜୁଳିର ଅଭିବୃଦ୍ଧି ହାର ମାର୍ଚ୍ଚରେ ୧୧.୪% ରହିଥିବା ବେଳେ ଏପ୍ରିଲରେ ୫୬.୧% ରହିଛି । ପ୍ରାକୃତିକ ଗ୍ୟାସ୍, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ପ୍ରଦର୍ଶନ ଉତ୍ସାହଜନକ ଥିବା ଜଣାଯାଇଛି ।

Comments are closed.