ମାରାତ୍ମକ ମେ’, ଦେଶରେ ୧ ଲକ୍ଷ ୧୭ ହଜାର ମୃତ : ଓଡ଼ିଶାରେ ୭୦୦

74

-ବିଶେଷଜ୍ଞଙ୍କ ଆକଳନ: ଜୁନ୍ରେ ଖସିବ ସଂକ୍ରମଣ

ଭୁବନେଶ୍ୱର : ମେ’ରେ ପିକ୍ ଛୁଇଁଲା କରୋନା ସଂକ୍ରମଣ । ମହାମାରୀ ଦେଖାଇଲା ତାର ମହାରୂପ । ଦୈନିକ ସଂକ୍ରମଣ ଶିଖର ଛୁଇଁଥିବା ବେଳେ ହୁ ହୁ ହୋଇ ବଢ଼ିଥିଲା ମୃତ୍ୟୁସଂଖ୍ୟା । ମେ’ରେ ମୃତ୍ୟୁସଂଖ୍ୟାରେ ସୁନାମୀ ଆଣିଥିଲା କରୋନା । ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଛି । ପ୍ରତିଦିନ ମରିଛନ୍ତି ହଜାର ହଜାର ଲୋକ । ଜୁଇ ଲିଭୁନଥିଲା । ମାରାତ୍ମକ ଥିଲା ମେ’ମାସ । ଏହି ମାସରେ ଦେଶରୁ ୧ଲକ୍ଷ ୧୭ହଜାର ୨୪୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମେ’ ପହିଲାରେ
ମୃତ୍ୟୁସଂଖ୍ୟା ଥିଲା ୨ଲକ୍ଷ ୧୧ହଜାର ୮୫୩ । କିନ୍ତୁ ମେ’ ୩୧ରେ ଏହି ସଂଖ୍ୟା ୩ଲକ୍ଷ ୨୯ହଜାର ୧୦୦ରେ ପହଞ୍ଚିଗଲା ।

ସେହିପରି ମେ’ରେ ଓଡ଼ିଶାରେ କରୋନା ନେଇଛି ୭୦୦ ଜୀବନ । ମେ’ ପହିଲାରେ ମୃତ୍ୟୁସଂଖ୍ୟା ୨୦୫୦ ଥିଲାବେଳେ ମେ’ ୩୧ରେ ଏହି ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ସେହିପରି ଏହି ମାସରେ ଦେଶରେ କରୋନା ମୃତ୍ୟୁହାର ୩୫.୬୨% ଥିବାବେଳେ ଓଡ଼ିଶାରେ ଥିଲା ୨୫.୪୧% । ସେହିପରି ମେ’ରେ ଦେଶରେ ୮୮ଲକ୍ଷ ୮୨ହଜାର ୫୬୫ ପଭିଟିଭ୍ ଚିହ୍ନଟ ହୋଇଛନ୍ତି । ମେ’ ପହିଲାରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧କୋଟି ୯୧ଲକ୍ଷ ୬୪ହଜାର । କିନ୍ତୁ ମେ’ ଶେଷ ବେଳକୁ ଏହା ୨କୋଟି ୮୦ହଜାର ପାର୍ କରିଛି । ମେ’ ପହିଲାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୪ହଜାର ୬୦୭ ଥିବାବେଳେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭ । ଅର୍ଥାତ୍ କେବଳ ମେ’ ମାସରେ ୩ଲକ୍ଷ ୧୦ହଜାର ୩୯୦ ପଜିଟିଭ୍ ବାହାରିଛନ୍ତି ।

କିନ୍ତୁ ଖୁସିର ଖବର ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍ରେ ଥିଲା । ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବା ବେଳେ ଶେଷ ସପ୍ତାହ ଆଡକୁ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଓଡ଼ିଶାରେ କରୋନା ସ୍ଥିତିର ସମୀକ୍ଷା କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ମେ’ ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି । ଆଶା କରାଯାଉଛି ଜୁନ୍ ମାସରେ ସେପରି ହେବନି । ହେଲେ ସଂକ୍ରମଣ ବଢ଼ିଲେ ଲକ୍ଡାଉନ୍ ବଢିପାରେ, ତେଣୁ ସଜାଗ ରହିବା ଉଚିତ୍ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର । ସେ କହିଛନ୍ତି ସାଧାରଣତଃ ଲକ୍ଡାଉନ୍ର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି । ୩ଟି ଜିଲ୍ଲାରେ କିଛି କଟକଣା କୋହଳ କରାଯାଇଛି । ମାତ୍ର ଦୁଇଘଣ୍ଟା କୋହଳ କରାଯାଇଛି । ସୁନ୍ଦରଗଡ଼ରେ ସଂକ୍ରମିତ
ଅଧିକ ଥିଲା, ଏବେ କମୁଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବାନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନାଥାଉ କି, ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କଟକଣା କୋହଳ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ । ଏହି ୩ଟି ଜିଲ୍ଲାରେ ସକାଳ ୭ରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍, ମାର୍କେଟ କମ୍ପେ୍ଲକ୍ସ ଏବଂ ସାପ୍ତାହିକ ହାଟକୁ ଛାଡି ବାକିସବୁ ଦୋକାନ ଖୋଲା ରହିବ । ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ ଏବଂ ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି ।

Comments are closed.