ବିନା ଲେବୁଲିଂ ର ପଲିଥିନରେ ଯୋଗାଣ ହେଉଛି ନିମ୍ନ ମାନ ର ଛତୁଆ !

0 67

ଛତୁଆ ଘୋଟଲା ର ପେଣ୍ଠସ୍ଥଳ ପାଲଟିଛି ଗୋଲାମୁଣ୍ଡା ବ୍ଲକ

ଧର୍ମଗଡ,୦୭/୦୬ : ଗର୍ଭବତୀ,ପ୍ରସୂତି ଓ ପ୍ରାକ ବିଦ୍ୟାଳୟ ପିଲାମାନଙ୍କ ପୁଷ୍ଟିହୀନତା ରୋକିବାକୁ ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ  ଛତୁଆ,ଅଣ୍ଡା,ଲଡୁ ଆଦି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ।   ପ୍ରକୃତରେ ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବଦଳରେ ବେପାରୀମାନଙ୍କ କବଜାରେ ରହିଛି  ଓ  ନିମ୍ନମାନର ସାମଗ୍ରୀ ଯୋଗାଇ ବେପାରୀମାନେ ମାଲେମାଲ ହେଉଥିବା ଅଭିଯୋଗ ହେଉଛି । ଗତ ବର୍ଷେ ତଳେ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଳକରେ ବଣ୍ଟନ ହୋଇଥିବା ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ନେଇ ଅଭିଯୋଗ ହୋଇଥିବାବେଳେ ସେହି ଏକା ବ୍ଳକରେ ସାଦା ପଲିଥିନରେ ଛତୁଆ ବଣ୍ଟନ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୁଷ୍ଟିସାର ପାଇଁ  ସରକାର ଗର୍ଭବତୀ ଓ ପ୍ରସୁତି ମାଁ ମାନଙ୍କ ପାଇଁ ହଳଦିଆ ପ୍ୟାକେଟ ଓ ୭ ମାସରୁ ୩ବର୍ଷ ପ୍ରାକ ବିଦ୍ୟାଳୟ  ପିଲା ପାଇଁ ସବୁଜ ପ୍ୟାକେଟ ବଣ୍ଟନ ବ୍ୟବସ୍ଥା କରିଛନ୍ତି ।  ସବୁଜ ପ୍ୟାକେଟରେ ୨କେଜି ୨୨୦ଗ୍ରାମ ଯେଉଁଥିରେ  ୧୫୩୧.୨୫ଗ୍ରାମ ପରିମାଣର ଗହମ,୩୦୬.୨୫ଗ୍ରାମ ର ବୁଟ, ୨୨୯.୬୯ଗ୍ରାମ ର ଚିନାବାଦାମ ଓ ୩୮୨.୮୧ଗ୍ରାମ ର ଚିନି ରହିଥାଏ । ଛତୁଆ ସହ ଦେଢ଼ କେଜି ସୁଜି ମଧ୍ୟ ବଣ୍ଟନ କରାଯାଇଥାଏ । ସେହିପରି ହଳଦିଆ ପ୍ୟାକେଟରେ ମୋଟ ପରିମାଣ ୪କେଜି ୪୧୦ ଗ୍ରାମ ଥିବାବେଳେ ତଦନୁଯାୟୀ ଉପରୋକ୍ତ ମିଶ୍ରଣ ରହିଥାଏ । ଏହି ପ୍ୟାକେଟ ୬୧୦ଗ୍ରାମର ଚିନାବାଦାମ ଲଡୁୁ ମଧ୍ୟ ବଣ୍ଟନ କରାଯାଇଥାଏ । ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନେ ଏହି କାର୍ଯ୍ୟ ନିର୍ବାହ କରିଥାନ୍ତି । ଗୋଲାମୁଣ୍ଡାରେ ମଧ୍ୟ ମୋଟ ୭ଟି ସେକ୍ଟର ଥିବାବେଳେ ୫ଟି ସେକ୍ଟରର ଦାୟିତ୍ୱ କେଗାଁ ସ୍ଥିତ ମାଁ ଦୁଆରସନି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ନେଇଛି ଏବଂ ଅନ୍ୟ ଦୁଇଟି ବନଦୁର୍ଗା ସ୍ୱୟଂ ସେହା୍ରକ ଗୋଷ୍ଠି ଦ୍ୱାରା ପରିଚାଳିତ ।   ବୃନ୍ଦାବାହାଲ , ଗୋଳାମୁଣ୍ଡା , ମାନଝରୀ , ବନ୍ଧା ଗାଁ , କେଗାଁ ,ମହାଲିଙ୍ଗ ଓ ଫରଙ୍ଗ ସମେତ ସାତ ଟି ସେକ୍ଟର ରହିଆଛି । ଗୋଳାମୁଣ୍ଡା ଓ ବୃନ୍ଦାବାହାଲ ସେକ୍ଟର କୁ ଭୁକ୍ତାମୁଣ୍ଡା ବିଶ୍ୱ ମାଁ ବନ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଓ ଅନ୍ୟାନ୍ୟ ୫ ଟି ସେକ୍ଟର କୁ ମାଁ ଦୁଆର୍ଶନୀ କେଗାଁ ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ରୁ ଛତୁଆ ପ୍ରଦାନ କରୁଛନ୍ତି । ନିୟମ ଅନୁଯାୟୀ ଛତୁଆ ପ୍ୟାକିଂ ସମୟରେ  ସିଡିପିଓ , ମହିଳା ପରିଦର୍ଶୀକା , କିମ୍ବା ଉପ-ଜିଲାପାଳଙ୍କ ଉପସ୍ଥିତରେ ପ୍ରସ୍ତୁତକାରୀଙ୍କ ନାମ,ଠିକଣା,ପ୍ରସ୍ତୁତ ତାରିଖ,ବ୍ୟବହାର ସମୟ ଅବଧି ଓ ମିଶ୍ରଣ ଉପାଦାନ ସବୁ ଉଲ୍ଲେଖ ରହିବା କଥା । କିନ୍ତୁ  ଗତ ଜୁନ ୧ ତାରିଖରେ ବଣ୍ଟନ ହୋଇଥିବା  ଛତୁଆରେ କେବଳ ଅଟା ରହିଥିବା ବେଳେ ଛତୁଆ ପ୍ୟାକେଟ୍ରେ ଛତୁଆ ସମ୍ବନ୍ଧିୟ କୌଣସି ସୁଚନା ଉଲ୍ଲେଖ ନାହିଁ । ପ୍ୟାକିଂ ସମୟରେ ଉପରୋକ୍ତ ଅଧିକାରୀମାନଙ୍କ ନଜରକୁ ଏହା ଆସିଲାନି କିପରି ନା ସମସ୍ତଙ୍କୁ ଅଣଦେଖା କରି ପ୍ରସ୍ତୁତକାରୀ ସଂସ୍ଥା ପ୍ୟାକିଂ କଲା ତାହା ତଦନ୍ତ ସାପେକ୍ଷ । ଏଭଳି ଖାମଖିଆଲୀ ନିତୀ ପୁଷ୍ଟିହୀନତା ଦୂର କରିବା ବଦଳରେ ଆଉ ଏକ ନୂତନ ସମସ୍ୟା ସୃଷ୍ଟି କରିପାରେ । ତେବେ ଏନେଇ ଗୋଲାମୁଣ୍ଡା ସିଡିପିଓ ପ୍ରେମ ମଂଜରୀ ସାହୁଙ୍କୁ ପଚାରିବାରୁ ଘଟଣା ମୋ ନଜରକୁ ଆସିଛି । କିନ୍ତୁ ସବୁ ପ୍ୟାକେଟ ନୁହଁ କିଛି ସାଦା ପ୍ୟାକେଟ ଛତୁଆବଣ୍ଟନ ହୋଇଛି ଏବଂ ଲକଡାଉନ ଯୋଗୁଁ ସଂପୃକ୍ତ ଗୋଷ୍ଠି ପଲିଥିନ ଆଣିବା ସମ୍ଭବ ହେଲା ନାହିଁ ବୋଲି ଏପରି ହୋଇଛି ବୋଲି ହାଲୁକା ଉତ୍ତର ଦେଇଥିଲେ । ଏହା ଉପରେ ଜିଲ୍ଲ ପ୍ରଶାସନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply

Your email address will not be published.