ସାନିଟାଇଜର କାରଖାନାରେ ଅଗ୍ନିକାଣ୍ଡ: ୧୮ ମୃତ

71

ପୁଣେ : ମହାରାଷ୍ଟ୍ରର ପୁଣେରେ ଥିବା ଗୋଟିଏ କେମିକାଲ ଫ୍ୟାକ୍ଟ୍ରୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ମୁଲଶି ତାଲୁକାରେ ଥିବା ଏହି ପ୍ୟାକ୍ଟ୍ରୀର ସାନିଟାଇଜର ତିଆରି ୟୁନିଟ୍ରେ ନିଆଁ ଲାଗି ଏପରି ଅଘଟଣ ଘଟିଛି । ଅଗ୍ନିକାଣ୍ଡ ବେଳେ ଫ୍ୟାକ୍ଟ୍ରି ମଧ୍ୟରେ ପ୍ରାୟ ୩୭ଜଣ ଶ୍ରମିକ ରହିଥିଲେ ।

ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସେମାନେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ । ପ୍ରଥମେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣଙ୍କ ଶବ ମିଳିଥିଲା । ନିଆଁ ଆୟତ୍ତ ହେବା ପରେ ଆଉ ୧୦ ଜଣଙ୍କ ଶବ ମିଳିଛି । ସେହି ରି ଉଦ୍ଧାର ହୋଇଥିବା ୨୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି ।

ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀର ୬ଟି ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କୁଲିଂ ପ୍ରୋସେସ ଜାରି ରହିଛି । ପ୍ୟାକେଜିଂ ସେକ୍ସନ୍ଟି ନିଆଁ ଲାଗିବା ଯୋଗୁ ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.