୧୦ରୁ ପ୍ରବଳ ବର୍ଷା : ଆଲର୍ଟ ରହିବାକୁ ନିର୍ଦ୍ଦେଶ

69

-ଦୁଇ-ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
-୧୩ ତାରିଖ ଯାଏ ୪୦ କିମି ପବନ ସହ ବର୍ଷିବ

ଭୁବନେଶ୍ୱର : ଆସନ୍ତାକାଲି ସକାଳ ଯାଏଁ ରାଜ୍ୟର ୨୨ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟ ୧୭ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କଳହାଣ୍ଡି, କନ୍ଧମାଳ, ରାୟଗଡ଼ା,ବୌଦ୍ଧ, ଢେଙ୍କାନାଳ ଓ କେନ୍ଦୁଝରରେ ବର୍ଷା, ବଜ୍ରାତ ସମ୍ଭାବନା ରହିଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହେବ । ଏହା ପୂର୍ବରୁ ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ କେତେକ ସ୍ଥାନରେ ଘଡ଼ ଘଡ଼ି ସାଙ୍ଗକୁ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।

ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାର ଅନେକ ସ୍ଥାନରେ ଘଡ଼ିଘଡ଼ି ଓ ବିଜୁଳି ସହିତ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମୟୂରଭଞ୍ଜ,କେନ୍ଦ୍ରାପଡ଼ା ଓ ମାଲାକନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେ ଆହୁରି କହିଛନ୍ତି,୧୧ ତାରିଖରେ ଲଘୁଚାପ ହେବାକୁ ଥିବା ବେଳେ ୧୦ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ । ସେଥିପାଇଁ ରାଜ୍ୟର କିଛି ସ୍ଥାନରେ ୧୦ରୁ ପ୍ରବଳରୁ ଅତି ପ୍ରବଳବର୍ଷା ହୋଇପାରେ । ଆଉ ଦୁଇ-ତିନି ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୪୦ କିମିରୁ ଊଦ୍ଧ୍ୱର୍ ପବନ ବହିବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Comments are closed.