ରଜ ପରେ ହୋଇପାରେ ଲକ୍ଡାଉନ୍ କୋହଳ

70

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଏବେ ଧୀରେ ଧୀରେ ପ୍ରଭାବହୀନ ହେବାକୁ ଯାଉଛି । ଏହାକୁ ଆଖିରେ ରଖି ଦେଶର ବିଭିନ୍ନ ଅଞ୍ଚଳରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଏନେଇ ଚିନ୍ତା କରୁଥିବା ଜଣାପଡ଼ିଛ । ବିଶେଷକରି ଗ୍ରୀନ୍ ଜୋନ୍ ରେ ଥିବା ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ଉପରେ ଲାଗିଥିବା କଟକଣା ସାମାନ୍ୟ କୋହଳ ହେବା ସମ୍ଭାବନା ଉଜ୍ୱଳ ହୋଇଛି । ଏହା ହେଲେ ରାଜ୍ୟ ସରକାର ୯ଟି ଜିଲ୍ଲା ପାଇଁ କୋହଳ ନୀତି ଘୋଷଣା କରିପାରନ୍ତି ।

ମଙ୍ଗଳବାର ସୁଦ୍ଧା ଓଡ଼ିଶା ସରକାରଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଝାରସୁଗୁଡ଼ା, ଦେବଗଡ଼, ସୋନପୁର,ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ,ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ୧୦୦୦ ରୁ କମ୍ ସଂଖ୍ୟକ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକୁ ଗ୍ରୀନ୍ ଜୋନ୍ ତାଲିକାମୁକ୍ତ କରାଯାଇଛି । ପୂର୍ବରୁ ଗଜପତି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୦୦ରୁ କମ୍ ଥିବାରୁ ଏହି
ଜିଲ୍ଲାଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ କଟକଣା କୋହଳ କରାଯାଇଥିଲା । ନୂଆ ନିୟମ ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ଲକ୍ଡାଉନ୍ କଟକଣା ଦିନ ୧ଟା ଯାଏ କୋହଳ କରାଯାଇଥିଲା । ଏଣୁ ଏବେ ସରକାର ଲକ୍ଡାଉନ୍ ନିୟମକୁ ସମୀକ୍ଷା କରିବା ବେଳେ ଏହି ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପୂର୍ବରୁ ଲକ୍ଡାଉନ୍ ନିୟମ କୋହଳ କରାଯାଇଥିବା ତିନି ଜିଲ୍ଲା ଭିତରୁ ସୁନ୍ଦରଗଡ଼ରେ ପରିସ୍ଥିତି ପୁଣିଥରେ ବିଗିଡ଼ିଛି । ଏଠାରେ ଯଦିଓ ସଂକ୍ରମଣ ହାର ୨.୮୧ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଏବେ ୩୨୭୭ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି ।

ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଜପୁର ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ହାର ରେକର୍ଡ଼ କରାଯାଇଛି । ଏଠାରେ ଯେତିକି ସନ୍ଦିଗ୍ଧ ପରୀକ୍ଷଣ କରାଉଛନ୍ତି ସେମାନଙ୍କ ଭିତରୁ ୨୨.୧୬% କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କିନ୍ତୁ ଆଜି ଏହି ପଜିଟିଭ୍ ହାରରେ ସାମାନ୍ୟ କମିଥିବା ରେକର୍ଡ଼ କରାଯାଇଛି । ସେହିପରି ସଂକ୍ରମଣ ହାର କମୁଥିବା ଜିଲ୍ଲାଗୁଡ଼ିକ ଭିତରେ ରାଜ୍ୟର ୧୮ଟି ଜିଲ୍ଲା ରହିଛି । ଏଗୁଡ଼ିକ ହେଲା ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ,ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା । ସେହିରି ୧୨ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ଜଣାପଡ଼ିଛି । ଏହି ଜିଲ୍ଲାଗୁଡ଼ିକ ଭିତରେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ହାର ରେକର୍ଡ଼ କରାଯାଇଛି । ଏଠାରେ ସଂକ୍ରମଣ ହାର ୧୭.୯୯ ପ୍ରତିଶତ ହୋଇଥିବା ବେଳେ ଢେଙ୍କାନାଳରେ ୬୫,ଜଗତସିଂହପୁରରେ ୧୩.୧, ବାଲେଶ୍ୱରରେ ୧୧.୩୬, କେନ୍ଦୁଝରରେ ୭.୫୪, ଖୋର୍ଦ୍ଧାରେ ୧୨.୮୪, ମାଲକାନଗିରିରେ ୧୧.୯, ନବରଙ୍ଗପୁରରେ ୧୨.୨୪, ନୟାଗଡ଼ରେ ୧୨.୮୩, ନୂଆପଡ଼ାରେ ୨.୯, ରାୟଗଡ଼ାରେ ୧୦.୬୩ ଏବଂ ସୋନପୁରରେ ୪.୬୨ ପ୍ରତିଶତ ରେକର୍ଡ଼ କରାଯାଇଛି ।

ଏବେ ସମୁଦାୟ ରାଜ୍ୟରେ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି । ଦିନକୁ ଦିନ ଅଧିକ ଲୋକଙ୍କୁ ଟିକାକରଣ କରାଯିବା ଏବଂ ଲକ୍ଡାଉନ୍ କଟକଣା ହେତୁ ଏ ସଂକ୍ରମଣ ହାର କମୁଛି । ସୋମବାର ରାଜ୍ୟରେ ୬୮ହଜାର ୮୯୬ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା । ସେଥିରୁ ୫୮୯୬ଜଣଙ୍କ ନମୁନାରେ କରୋନା ଭୂତାଣୁ ଥିବା ଲକ୍ଷ୍ୟ କରାଯାଇଛି । ଅର୍ଥାତ୍ ଏବେ ରାଜ୍ୟରେ ସଂକ୍ରମଣ ପଜିଟିଭ୍ ହାର ୮.୫୬ ପ୍ରତିଶତ ରହିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଏଯାଏ ୬୧ଲକ୍ଷ ୬୪ହଜାର ୯୩୦ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ସମୁଦାୟ ୧୧ଲକ୍ଷ ୧୮ହଜାର ୬୫୩ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ କରାଯାଇ ବାସହୀନ ଲୋକଙ୍କୁ ବି ଟିକାକରଣ ଅଭିଯାନରେ ସାମିଲ୍ କରାଯାଇଛି ।

‘ହୁ’ର ଚେତାବନୀ: ଶୀଘ୍ର ହଟାଅନି କଟକଣା :

ଭାରତକୁ ବିଶ୍ୱ ସ୍ୱ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣା କୋହଳ କରାଯିବା ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି । ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଏବେ ଏହା ୧ ଲକ୍ଷକୁ ଖସିଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି ।

ଚଳିତଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଲକ୍ଡାଉନ୍କଟକଣା ଘୋଷଣା କରାଯାଇନଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ଥିତି ଅନୁଯାୟୀ ଲକ୍ଡାଉନ୍ କଟକଣା ଲାଗୁ କରିଛନ୍ତି । ବର୍ତ୍ତମାନ ସ୍ଥିତି କ୍ରମଶଃ ସୁଧୁରିବାରୁ କୋହଳ ମଧ୍ୟ କରିଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟ କଟକଣାକୁ କୋହଳ କରିବାରେ ଲାଗିଛନ୍ତି । ଆଉ ଏହି କଟକଣା କୋହଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ
ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ । ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ପୂରା ହୋଇପାରିନି । ଯେଉଁମାନେ ଏଯାଏଁ କରୋନା ଟିକା ଲଗାଇନାହାନ୍ତି ସେମାନଙ୍କ ପାଇଁ କଟକଣାକୁ କୋହଳ କରିବା ବିଜ୍ଜନକ ହୋଇପାରେ । ଏହା ପୂର୍ବରୁ “ହୁ’ କରୋନା ଡେଲ୍ଟା ଷ୍ଟ୍ରେନ୍କୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । କରୋନାର ଏହି ଷ୍ଟ୍ରେନ୍ ସର୍ବ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ବେଳେ ଏ ଷ୍ଟ୍ରେନ୍କୁ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଭାବେ ଘୋଷଣା କରିଥିଲା ‘ହୁ’ । ତେବେ କରୋନା ତୃତୀୟ ପ୍ରବାହ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବା ବେଳେ ଏନେଇ ଏସ୍ବିଆଇ ପକ୍ଷରୁ କରାଯାଇଥିବା ଗବେଷଣାଲବ୍ଧ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ପ୍ରାୟ ୯୦ ଦିନରୁ ଅଧିକ ସମୟଧରି କରୋନା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି । ଏଣୁ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନଥିବା ବେଳେ କେବଳ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦୃଷ୍ଟିରୁ କଟକଣାରେ କୋହଳ କରାଯିବା ଆଲୋଚନାର ବିଷୟ । କିନ୍ତୁ ଲୋକଙ୍କ ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲା ଦିଗରେ ଅଧିକ ଗୁରୁତ୍ୱୂର୍ଣ୍ଣ ।

Comments are closed.