ବିନା ଭକ୍ତରେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆସାଆନ୍ତ : କେବଳ ଶ୍ରୀକ୍ଷେତ୍ରରେ ହେବ ରଥଯାତ୍ରା

60

-ଟିକା ନେଇଥିବା ସେବକ ନୀତିକାନ୍ତିରେ ସାମିଲ ହେବେ
-ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି
-ପୁରୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନରେ ଗଡ଼ିବନି ରଥ
-ଯାତ୍ରା ସମୟରେ ସହରରେ ଲାଗିବ କର୍ଫ୍ୟୁ
-କେବଳ ଜରୁରିକାଳୀନ ସେବାକୁ ଅନୁମତି
-ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସିଧା ପ୍ରସାରଣ ଅନୁମତି

ଭୁବନେଶ୍ୱର : ଏଥର କେବଳ ବଡ଼ଦାଣ୍ଡରେ ବିନା ଭକ୍ତରେ ଗଡିବ ରଥ । ଗତବର୍ଷ ଭଳି କରୋନା କଟକଣା ମଧ୍ୟରେ ସେବାୟତ ଓ ପୋଲିସଙ୍କ ଦ୍ୱାରା ଟଣାଯିବ ରଥ । କୋଭିଡ୍ ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରୀତିନୀତି ଓ ରଥଟଣାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ କୋଭିଡ୍ ଟିକାର ଦୁଇ ଡୋଜ୍ ନେଇଥିବେ କିମ୍ବା ସେମାନଙ୍କର ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଆସିଥିବ । କୋଭିଡର ୨ୟ ଲହରୀ ଜାରି ରହିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆର୍ସି । ରାଜ୍ୟରେ ଏବେ ସଂକ୍ରମଣ ହାର କମିଛି । ଏହାକୁ ଦୃଷ୍ଟିରେ ରଖି ପୁରୀରେ ଚଳିତ ଥର ରଥଯାତ୍ରା ଆୟୋଜିତ ହେବ । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତବର୍ଷ ଭଳି କଟକଣାରେ ହେବ । ହେଲେ ବିନା ଭକ୍ତରେ ହେବ ରଥଯାତ୍ରା ।

ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ ନୀତିକାନ୍ତି କରାଯାଇପାରିବ । ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା । ଗତବର୍ଷ ସ୍ରୁିମକୋର୍ଟ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା କରିବା ଲାଗି ଅନୁମତି ଦେଇଥିଲେ । ଆଉ ସେ ସମୟରେ କେବଳ ସେବାୟତମାନେ ସମସ୍ତ ନୀତିକାନ୍ତି କରିଥିଲେ । ତେବେ ଯେଉଁ ସେବାୟତମାନେ ଚଳିତଥର ରଥଯାତ୍ରା ନୀତିକାନ୍ତିରେ ସାମିଲ ହେବେ ସେମାନେ ଦୁଇଡୋଜ୍ କରୋନା ଟିକା ନେଇଥିବେ । ଏଥିସହିତ ତାଙ୍କ ପାଖରେ ଫାଇନାଲ୍ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ଥିବ କିମ୍ବା ଆରଟିିସିଆର୍ ନେଗେଟିଭ୍ ରିପୋର୍ଟ ରହିଥିବ ।

ଚଳିତବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ । ଗତବର୍ଷ ଭଳି ଚଳିତଥର ମଧ୍ୟ ଯାତାୟାତ କଟକଣା ରହିବ ଏବଂ କର୍ଫ୍ୟୁ ବେଳେ କେବଳ ଜରୁରିକାଳୀନ ସେବାକୁ ଅନୁମତି ମିଳିବ । ତେବେ ଜରୁରିକାଳୀନ ପରିସ୍ଥିତିରେ ଯାତାୟାତ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ନେବାକୁ ପଡିବ । ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ଚାହୁଁଥିବା ଗଣମାଧ୍ୟମକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡ଼ିବ ।

Comments are closed.