ଲୋକଙ୍କ ସ୍ମୃତି ଶକ୍ତିକୁ ପ୍ରଭାବିତ କରୁଛି କରୋନା!

0 63

ନୂଆଦିଲ୍ଲୀ, ୧୦ ।୬: ମହମାରୀ କରୋନାର ଆଉ ଏକ ଭୟଙ୍କ ରୂପ ସାମ୍ନାକୁ ଆସିଛି । କରୋନା ଭାଇରସ କେବଳ ଲୋକଙ୍କ ଶ୍ୱାସନଳୀକୁ ନୁହେଁ ବରଂ ମସ୍ତିସ୍କକୁ ମଧ୍ୟ ପ୍ରଭାବିତ କରୁଛି । ଜଣେ ବ୍ୟକ୍ତିଙ୍କ ମସ୍ତିସ୍କରେ ଥିବା ଧୂଷର ଅଂଶ ବା ଗ୍ରେ ମ୍ୟାଟର କରୋନା ଦ୍ୱାରା ହ୍ରାସ ପାଉଥିବା ସ୍ନାୟୁ ରୋଗ ବିଶେଷଜ୍ଞମାନେ ନୂଆ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏହି ଗ୍ରେ ମ୍ୟାଟର ମଣିଷର ସ୍ମରଣ ଶକ୍ତି ଠାରୁ ଆରମ୍ଭ କରି ଭାବନ ଶକ୍ତି ଯାଏ ଥିବା କ୍ଷମତାକୁ ନିୟନ୍ତ୍ରଣ କରିଥାଏ । କରୋନା ଏହି ଗ୍ରେ ମ୍ୟାଟରକୁ ପ୍ରଭାବିତ କରୁଥିବାରୁ ଜଣେ ଆକ୍ରାନ୍ତଙ୍କ ସ୍ମରଣ ଓ ଭାବିବା ଶକ୍ତି ହ୍ରାସ ପାଉଛି । ଜର୍ଜିଆ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଲକ୍ଷଣଯୁକ୍ତ କରୋନା ଆକ୍ରାନ୍ତ, ଅକ୍ସିଜେନ ନେଉଥିବା ଲୋକ ଓ ଭେଣ୍ଟିଲେଟରରେ ରହୁଥିବା ଲୋକଙ୍କ ମସ୍ତିସ୍କକୁ କରୋନା ସବୁଠାରୁ ଅଧିକ ପ୍ରଭାବିତ କରିଥାଏ । ଏହି ଗବେଷଣା ରିପୋର୍ଟ ଜର୍ଣ୍ଣାଲ ନ୍ୟୁରୋବାୟୋଲଜି ଅଫ ଷ୍ଟ୍ରେସରେ ପ୍ରକାଶ ପାଇଛି । ହସ୍ପିଟାଲର ନ୍ୟୁରୋଲଜିଷ୍ଟ ଡା ପବନ ପାଇ କହିଛନ୍ତି, ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତ, ଅକ୍ସିଜେନ କିମ୍ବା ଭେଣ୍ଟିଲେଟରରେ ରହୁଥିବା ଲୋକ ଓ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ଶରୀରରେ ସ୍ନାୟୁଜନିତ ସମସ୍ୟା ଦେଖାଯାଉଛି । କରୋନା ଭାଇରସ ଗ୍ରେ ମ୍ୟାଟରସକୁ ହ୍ରାସ କରୁଛି । ଏହି ଗ୍ରେ ମ୍ୟାଟର ମସ୍ତିସ୍କକୁ ସୂଚନା ପହଞ୍ଚାଇଥାଏ, ଜଣେ ବ୍ୟକ୍ତିଙ୍କ ଗତିବିଧିକୁ ନିୟନ୍ତ୍ରଣ କରେ, ସ୍ମରଣ ଶକ୍ତି ଓ ଭାବନା ଶକ୍ତିକୁ କାର୍ଯ୍ୟକ୍ଷମ କରାଇଥାଏ । ଏହା ହ୍ରାସ ପାଇଲେ ଜଣେ ବ୍ୟକ୍ତିଙ୍କ ଶରୀରରେ ସ୍ନାୟୁ ଓ ଯୋଗାଯୋଗ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ବୋଲି ସେ କହିଛନ୍ତି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡା ବିଏନ ଗଙ୍ଗାଧର କହିଛନ୍ତି ପୂର୍ବରୁ ମାନସିକ ରୋକ, ହାଇପରଟେନସନ କିମ୍ବା ଓବେସିଟିରେ ପୀଡ଼ିତ ଲୋକଙ୍କ ଶରୀରରେ ଅଧିକ ଦେଖାଯିବାର ଆଶଙ୍କା ରହିଛି । ଆପଣଙ୍କ ମସ୍ତିସ୍କ ଛୋଟ କିମ୍ବା ବଡ଼ ସହ କରୋନାର କୌଣସି ସମ୍ପର୍କ ନଥାଏ । କିନ୍ତୁ ଥରେ କରୋନାରେ ଆକ୍ରାନ୍ତ ହେଲେ, ଏହା ଛୋଟ ମସ୍ତିସ୍କ ଥିବା ଲୋକଙ୍କ ପ୍ରତି ଅଧିକ ଘାତକ ହୋଇଥାଏ ବୋଲି ସେ କହିଛନ୍ତି । ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ମସ୍ତିସ୍କର ଧୂଷର ଅଂଶକୁ କରୋନା ହ୍ରାସ କରୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । ବିଶେଷ କରି କରୋନାରୁ ସୁସ୍ଥ ହେବା ପରେ ଆମ ଶରୀରରେ ଦେଖାଯାଉଥିବା ଅଲଗା ଲକ୍ଷଣ ଗୁଡ଼ିକୁ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ । ଯଦି କିଛି ଅସ୍ୱାଭାବିକ ଲକ୍ଷଣ ଦେଖାଗଲା, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇବା ଉଚିତ । କରୋନାରୁ ସୁସ୍ଥ ହେବା ପରେ ରାତିରେ ୮ରୁ ୯ ଘଣ୍ଟା ଶୋଇବା, ମାନସିକ ଚିନ୍ତାକୁ ଯଥା ସମ୍ଭବ ଦୂରେଇ ରଖିବା, ବ୍ୟାୟମ କରିବା, ମଧୁମେହକୁ ନିୟନ୍ତ୍ରଣ ମଧ୍ୟରେ ରଖିବା, ମସ୍ତିସ୍କକୁ ଠିକ ରଖିବା ପାଇଁ ପଜଲ ସମାଧାନ କରିବା, ଖୁସି କରୁଥିବା ଭଳି କାର୍ଯ୍ୟକ୍ରମ ଦେଖିବା, ପ୍ରୋଟିନ, ଫଳ, ତଟକା ପନିପରିବା ଓ ସୁସ୍ଥକର ଖାଦ୍ୟ ପାଇବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.