ଅଳ୍ପଦିନରେ ଡବଲ ଟଙ୍କାର ଲୋଭ ଦେଖାଉଛି ଚୀନ୍ ଆପ୍ :୧୫୦ କୋଟି ଲୁଟିସାରିଲାଣି

69

-୫ ଲକ୍ଷ ଲୋକ ଠକାମୀର ଶିକାର

ନୂଆଦିଲ୍ଲୀ : ଚାଇନିଜ ଆପ୍ ଜରିଆରେ ଲୋକଙ୍କୁ ଚୂନ ଲଗାଇବା ଭଳି କାଣ୍ଡ କାରନାମାର ପର୍ଦ୍ଦାଫାସ କରିଛି ପୁଲିସ୍ । ଲୋକଙ୍କୁ ୨୪ ଦିନରେ ଟଙ୍କା ଦୁଇ ଗୁଣ କରି ଫେରାଇବାର ଲୋଭ ଦେଖାଇ ଚାଇନିଜ ଆପ୍କୁ ପରିଚାଳନା କରୁଥିବା ବ୍ୟକ୍ତିମାନେ ୧୫୦ କୋଟି ଟଙ୍କା ଲୁଟି ନେଇଛନ୍ତି । ଭାରତ ବର୍ଷରେ ପ୍ରାୟ ୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ପରେ ଦିଲ୍ଲୀ ପୁଲିସ୍ ପୂରା ଘଟଣା ଉପରୁ ପରଦା ଉଠାଇଛି । ଏହି ଘଟଣାରେ ଦୁଇ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ, ଜଣେ ତିବ୍ୱତୀୟ ମହିଳା ଓ ଅନ୍ୟ ୮ ଜଣଙ୍କୁ ଗିରଫ କରାଯାଇଛି ।

ତଦନ୍ତରୁ ଜଣାପଡ଼ିଛି ଯେ ଚାଇନିଜ ଆପ୍ଗୁଡ଼ିକ ଜାଲରେ ୫ ଲକ୍ଷ ଲୋକ ଫସିଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇଯାଇଛି । ଆପ୍ ଗୁଡ଼ିକ ପରିଚାଳନା କରୁଥିବା ଲୋକମାନେ ମାତ୍ର ୨ ମାସ ମଧ୍ୟରେ ୧୫୦ କୋଟି ଟଙ୍କା ଭାରତୀୟଙ୍କ ଠାରୁ ଠକି ନେଇଛନ୍ତି । ସେମାନଙ୍କୁ ପ୍ରଥମେ ଟଙ୍କା ଦୁଇଗୁଣ ହେବ ବୋଲି ଲୋଭନୀୟ ଅଫର ଦିଆଯାଉଥିଲା । ଏହି ଲୋଭରେ ସେମାନେ ପୁଞ୍ଜି ବିନିଯୋଗ କରୁଥିଲେ । ଏହାର ଫାଇଦା ଉଠାଇ ଦୁର୍ବୃତ୍ତମାନେ ସେମାନଙ୍କ ଟଙ୍କା ଓ ତଥ୍ୟକୁ ଲୁଟ କରି ଚାଲିଥିଲେ । ପୁଲିସ୍ ଏ ସମ୍ପର୍କରେ ସୂଚନା ପାଇବା ପରେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ସିଜ୍ କରି ୧୧ କୋଟି ଟଙ୍କା ବ୍ଲକ କରିଥିବା ବେଳେ ଗୁରୁଗ୍ରାମର ଜଣେ ସିଏଙ୍କ ଠାରୁ ୯୭ ଲକ୍ଷ ଟଙ୍କା ଜବତ କରିଛି । ଏହି ସିଏ ଜଣଙ୍କ ଚାଇନିଜ ଠକଙ୍କ ପାଇଁ ପ୍ରାୟ ୧୧୦ଟି ନକଲି କମ୍ପାନୀ ତିଆରି କରିଥିଲେ ।

ପ୍ରଥମେ ଆପ ପରିଚାଳନା କରୁଥିବା ବ୍ୟକ୍ତିମାନେ ଲୋକମାନଙ୍କ ସହ ଯୋଗାଯୋଗ କରୁଥିଲେ । ସେମାନଙ୍କୁ ୨୪ରୁ ୩୫ ଦିନ ମଧ୍ୟରେ ସେମାନେ ବିନିଯୋଗ କରୁଥିବା ଟଙ୍କା ଦୁଇ ଗୁଣ ହୋଇଯିବ ବୋଲି ଲୋଭନୀୟ ଅଫର ଦେଉଥିଲେ । ଲୋକଙ୍କୁ ଘଣ୍ଟିକିଆ ଓ ମାସିକା ପେମେଣ୍ଟ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଆପ୍ ରେ ୩୦୦ ଟଙ୍କାରୁ ଲକ୍ଷାଧିକ ଟଙ୍କା ବିନିଯୋଗ କରିବାର ବ୍ୟବସ୍ଥା ରହିଥିଲା । ନିକଟରେ ଏପରି ଏକ ଆପ୍ ପାୱାର ବ୍ୟାଙ୍କ ଗୁଗଲ ପ୍ଲେ ଷ୍ଟୋରର ନଂ ୪ରେ ଟ୍ରେଣ୍ଡିଂ ମଧ୍ୟ କରୁଥିଲା । ପୁଲିସ୍ ଏହି ମହାଦୁର୍ନୀତିର କେମିତି ପର୍ଦ୍ଦାଫାସ କଲା, ତା’ର ତଥ୍ୟ
ଡିସିପି ଅନେୟଶ ରୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାଇବର କ୍ରାଇମ ସେଲ୍ ଏକାଧିକ ଲୋକ ସୋଶାଲ ମିଡିଆରେ ଦୁଇଟି ଆପ୍ ସମ୍ପର୍କରେ କରୁଥିବା ପୋଷ୍ଟକୁ ପ୍ରଥମେ ତର୍ଜମା କରିଥିଲା ।

Comments are closed.