ସବୁଜ ରଜ, ପ୍ରକୃତି କୋଳରେ ରଜ ଉତ୍ସବ

77

ଭୁବନେଶ୍ୱର : ଆଜି ପହିଲି ରଜ । ପ୍ରକୃତିର ପର୍ବ ହେଉଛି ରଜ । ରଜ ଓଡ଼ିଆ ଜାତିର ସ୍ୱାଭିମାନ ଓ ସାଂସ୍କୃତିକ ବିଭବର ପରିଚୟ । ମାଆ, ଝିଅଙ୍କ ସହ ମାଟି ମାଆକୁ ନିଜ ସଂସାରରେ ସାମିଲ କରି ପ୍ରତିଟି ଓଡ଼ିଆ ପରିବାର ପାଳନ କରିଥାଏ ରଜ ପର୍ବ । ପ୍ରତି ଘରେ ପାରମ୍ପରିକ ପିଠାପଣା, ନାଚଗୀତ ଓ ଖେଳର ଆୟୋଜନ ବି ହୋଇଥାଏ । ପରସ୍ପର ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ନାନାଦି ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ କରିଥାନ୍ତି ।

ଚଳିତବର୍ଷ ମହାମାରୀ କରୋନାର କଠୋର ନିୟମ ଭିତରେ ଆମ ସଂସ୍କୃତି ଓ ପରମ୍ପରାର ରଜପର୍ବକୁ ଉଜ୍ଜୀବିତ କରି ରଖିବା ସହ ମାଟି ମା’କୁ ଭକ୍ତିପୂତ ଶ୍ରଦ୍ଧା ଓ ସମ୍ମାନ ସହ ନିଆରା ଢଙ୍ଗରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପସ୍ଥ କଲୋନୀରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ପ୍ରକୃତି କୋଳରେ ରଜ ଉତ୍ସବର ସ୍ମୃତିକୁ ମନେ ପକାଇ ନିଆରା ଅନୁଭୂତିକୁ ସେ ସାଉଁଟିଛନ୍ତି । ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା ଉଦେ୍ଦଶ୍ୟରେ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ସେ ପ୍ରୟାସ କରିଛନ୍ତି । ପତ୍ର, ଫୁଲକୁ ବ୍ୟବହାର କରି ସବୁଜିମା ଭିତରେ ତିଆରିଛନ୍ତି ରଜ ଦୋଳିର ଚିତ୍ର । ଆନନ୍ଦରେ କୁଆଁଁରୀ କନ୍ୟା ଖେଳୁଛି ରଜଦୋଳି ।ସୁଶାନ୍ତ ଏହି ମର୍ମରେ କୁହନ୍ତି ରଜ ପର୍ବର ମୁଖ୍ୟ ଆକର୍ଷଣ ହେଲା ଦୋଳି । ସମୟ ବଦଳିବା ସହ ରଜ ଦୋଳି ବି ବଦଳି ଯାଇଛି ।

ପ୍ରାକୃତିକ ପରିବେଶ ବଦଳରେ ଘରଛାତର ଲୁହା ହୁକ୍ରେ ଝୁଲୁଛି ବେତ ବା ପ୍ଲାଷ୍ଟିକର ରଜ ଦୋଳି । ଗାଁ ହେଉ ଅବା ସହର ହେଉ ରଜଦୋଳି ସାଧାରଣତଃ ପ୍ରାକୃତିକ ପରିବେଶ ମଧ୍ୟରେ ତିଆରି ହୋଇଥାଏ । ଏଥିରେ ପ୍ରାକୃତିକ ସଂସାଧନ ଯଥା ନଡ଼ିଆ କତା ଦଉଡ଼ି, କାଠପଟା, ବାଉଁଶ, ଫୁଲପତ୍ରକୁ ଦୋଳିରେ ବ୍ୟବହାର କରାଯାଇ ଦୋଳିକୁ ସୁସଜ୍ଜିତ କରାଯାଇଥାଏ । ଗଛ ଡ଼ାଳରେ ଦୋଳି ଖେଳିବାର ଯେଉଁ ମଜା ବା ଆନନ୍ଦ ମଳିିଥାଏ ତାହା ଏବେ ସ୍ୱପ୍ନ ପାଲଟି ଯାଇଛି । ଦୋଳିର ମୁଖ୍ୟ ଆଧାର ହେଉଛି ଗଛ । ଏବେ ଦୋଳି ଖୋଜୁଛି ଗଛକୁ । ପରିବେଶ ଉପଯୋଗୀ ସାମଗ୍ରୀ ପରିବର୍ତ୍ତେ ଦୋଳିରେ ବ୍ୟବହାର ହେଉଛି ପ୍ରକୃତି ପରିପନ୍ଥୀ ସାମଗ୍ରୀ ଯଥା-ପ୍ଲାଷ୍ଟିକ ରଶି ଓ ଦୋଳି । ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଦୋଳି ପାଇଁ ସୃଷ୍ଟି ହୋଇଥିବା ଗଛର ଅଭାବ ପାଇଁ ପ୍ରତିଟି ମଣିଷ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ରଜ ଉତ୍ସବରେ ସଂକଳ୍ପ ନିଅନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି । ପରମ୍ପରା ଓ ସଂସ୍କୃତି ହିଁ ଆମକୁ ବଞ୍ଚô ରହିବାରେ ତଥା ଆଗକୁ ବଢିବାରେ ବେଶ୍ ପ୍ରେରଣା ଯୋଗାଇଥାଏ ବୋଲି ସେ ଏହି ଅବସରରେ କହିଛନ୍ତି ।

Comments are closed.