ଜୁନ୍ ଶେଷରେ ମାଟ୍ରିକ ରେଜଲ୍ଟ : ୧୭ରୁ ନବମ-ଦଶମ ପାଠପଢ଼ା

90

-ଦିନ ୧୦.୪୫ରୁ ଅପରାହ୍ନ ୧ଟା ଯାଏ କ୍ଲାସ୍
-ଦୈନିକ ୩୦ ମିନିଟ୍ ଲେଖାଏଁ ୪ଟି ପିରିୟଡ୍
-ଅନ୍ଲାଇନ୍ରେ ସୋମରୁ ଶୁକ୍ରବାର ଶିକ୍ଷାଦାନ

ଭୁବନେଶ୍ୱର : ନିର୍ଦ୍ଧାରିତ ସମୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି । ଏଥିପାଇଁ ଜୋରସୋରରେ ମୂଲ୍ୟାୟନ ପ୍ରକ୍ରିୟା ଚାଲିଛି । ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବ୍ରେ ହେବ ଏବଂ ପୂର୍ବାହ୍ନ ୧୦ଟା.୩୦ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ,ଆସନ୍ତା ୧୭ ତାରିଖରୁ ୟୁଟ୍ୟୁବ୍ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପାଠପଢ଼ାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ । ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ଭିତରେ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢ଼ା ହେବ ।

ପ୍ରତିଦିନ ୪ଟି ପିରିୟଡ କରାଯିବ । ପ୍ରତି କ୍ଲାସର ବ୍ୟବଧାନ ୩୦ ମିନିଟ ରହିବ । ଉଭୟ ଶ୍ରେଣୀ ପାଇଁ ପ୍ରତି ବିଷୟରୁ ସପ୍ତାହକୁ ୨୦ଟି ପିରିୟଡ଼ ପାଠପଢା ହେବ । ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟବସ୍ତୁ ସ୍ଥିର କରିବାକୁ କୁହାଯାଇଛି । ୧୮ ତାରିଖରେ ଡିଇଓମାନଙ୍କର ଏକ ବୈଠକ ରଖାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଡିଇଓ ଏଥିରେ ଅଂଶଗ୍ରହଣ କରିବେ । ଏହି ବୈଠକରେ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ସଂପର୍କିତ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯିବ । କରୋନା ସହିତ ପିଲାମାନଙ୍କ କିପରି ପାଠ ପଢ଼ାଯାଇପାରିବ ସେ ସଂପର୍କରେ ମଧ୍ୟ ଆଲୋଚନା କରାଯିବ । କରୋନା କାଳରେ ସ୍କୁଲ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ସ୍କୁଲ ଖୋଲିବା ନେଇ ଏବେ କିଛି କହିହେବ ନାହିଁ । ତେବେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଚେଷ୍ଟା ଚାଲିଛି ।

ଅପରପକ୍ଷରେ ଯୁକ୍ତ ଦୁଇ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ କେବେ ପ୍ରକାଶ ପାଇବ ସେ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଁ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେମାନଙ୍କଠାରୁ ମୂଲ୍ୟାୟନ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Comments are closed.