ବୈଷୟିକ କମିଟି ବୈଠକରେ ତର୍ଜମା : ଟିକା ନେବା ପରେ କାହିଁକି ସଂକ୍ରମିତ ?

67

ଭୁବନେଶ୍ୱର : ଡବଲ ଡୋଜ୍ ଭ୍ୟାକ୍ସିନ ନେବା ପରେ ବି କରୋନା ହେବ ନି ତାହା ଭାବିବା ଭୁଲ୍ । ତେଣୁ ଠିକ୍ ଭାବେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଟିକା ନେଲେ ୭୦ ରୁ ୯୦ପ୍ରତିଶତ ସୁରକ୍ଷିତ ରହିବେ । କିନ୍ତୁ କରୋନା ଟିକା ନେବା ପରେ ମୃତ୍ୟୁ ଘଟଣା ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି । କିଛି ଘଟଣାରେ ଡବଲ ଡୋଜ୍ ନେବାର କେତେଦିନ ପରେ ମୃତ୍ୟୁ ହୋଇଛି ତାର ଅନୁଧ୍ୟାନ କରାଯାଉଛି । ତେବେ ଭ୍ୟାକ୍ସିନ ନେବା ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନି ବୋଲି କହିଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ । ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ତାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଉପରେ ପରୀକ୍ଷାନିରୀକ୍ଷା କରିବାକୁ ସରକାର ଟେକ୍ନିକାଲ କମିଟି ଗଠନ କରିଛନ୍ତି ।

ଆଇଏଲସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ୮ଜଣିଆ କମିଟି ଆଜିଠାରୁ ତା’ର ତର୍ଜମା ଆରମ୍ଭ କରିଛି । ଏହି କମିଟି ବିଶେଷକରି ୪ଟି ଦିଗ ଉପରେ କାର୍ଯ୍ୟ କରିବେ । ପ୍ରଥମରେ ରାଜ୍ୟରେ କେତେ ଲୋକଙ୍କୁ ଦୁଇ ଡୋଜ୍ ଭ୍ୟାକ୍ସିନ ନେବା ପରେ ସଂକ୍ରମଣ ହୋଇଛି, ଦୁଇ ଡୋଜ୍ ନେବାର କେତେଦିନ ପରେ ସେମାନଙ୍କୁ ସଂକ୍ରମଣ ହୋଇଛି, ଯଦି ସଂକ୍ରମଣ ହୋଇଛି ତେବେ ସିଭିୟରିଟି କେତେ ଥିଲା ଏବଂ ଯଦି ସିଭିୟରିଟି ଥିଲା ଡେଥ୍ ହୋଇଛି, ତେବେ ତାଙ୍କ ଭିତରେ କିଛି ଅଲଗା ରୋଗ ଥିଲା ନା’ ଏହା ସମ୍ପୂର୍ଣ୍ଣ କୋଭିଡ୍ ଡେଥ୍, ଏହା ଉପରେ କମିଟି ଡାଟା ପ୍ରସ୍ତୁତ କରି ତର୍ଜମା କରୁଛନ୍ତି । ତେବେ ଏଥିପାଇଁ କିଛି ସମୟ ଲାଗିବ । ସେଥିପାଇଁ ଡବଲ ଡୋଜ୍ ଭ୍ୟାକ୍ସିନ ନେବା ପରେ ମଧ୍ୟ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଓଡ଼ିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତା’ର ତର୍ଜମା କରାଯାଉଛି । ଦରକାର ପଡ଼ିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଅଜୟ ପରିଡ଼ା । ତେବେ ଆଇସିଏମ୍ଆର ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ୍ ନେଇ ୦.୦୪ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ୍ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଭଲ ଖବର ହେଉଛି ଯେ, ଭାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡ଼ୁନାହିଁ ।

ସେହିଭଳି ଦେଶରେ ଏବେ ୨୮ଟି ଲ୍ୟାବରେ ୪୦ହଜାର ସାମ୍ପଲର ଜିନମ ସିକ୍ୟୁଏନ୍ସିଂ କରାଯାଇଛି । ବିହାର, ଛତିଶଗଡ଼, ଓଡ଼ିଶା ଓ ଝାଡ଼ଖଣ୍ଡର ସାମ୍ପଲକୁ ନେଇ ଆଇଏଲ୍ଏସ୍ରେ ଜିନମ୍ ସିକ୍ୟୁଏନ୍ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ଟି କେସ୍ରେ ଡେଲଟା ପ୍ଲସ୍ ଭାଇରସ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ନିର୍ଦ୍ଦେଶକ । ସୂଚନାଯୋଗ୍ୟ, ୨୪ଘଣ୍ଟା ଭିତରେ ରାଜ୍ୟରେ ୬୪ ହଜାର ୧୧୨ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୫.୩୪ ପ୍ରତିଶତ ।

Comments are closed.