ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ୍ ହେବ ଗୁପ୍କାର ମେଣ୍ଟ

72

ଭୁବନେଶ୍ୱର : ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ଯୋଗଦେବ ଗୁପକାର ମେଣ୍ଟ । ଏହି ବୈଠକରେ ଭାଗନେବେ ଜାମ୍ମୁକାଶ୍ମୀର ନେତା । ଜାମ୍ମୁକାଶ୍ମୀର ସମ୍ପର୍କିତ ଏଜେଣ୍ଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଗରେ ଉପସ୍ଥାପିତ କରାଯିବ ବୋଲି ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଧାରା ୩୫(ଏ), ୩୭୦ ପ୍ରତ୍ୟାହାର ଏବଂ ଜାମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ଦାବିରେ କୌଣସି ବୁଝାମଣା କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ଫାରୁକ୍ । ସେ କହିଛନ୍ତି କୌଣସି କାଗଜରେ ଦସ୍ତଖତ କରିବେନି ଗୁପକାର ନେତା । ମେଣ୍ଟ ପକ୍ଷରୁ ବୈଠକରେ ଫାରୁକ୍ ଅବଦୁଲ୍ଲା, ଟିଡିପି ମୁଖ୍ୟ ମେହବୁବା ମୁଫତି ଓ ଗୁପକାର ମେଣ୍ଟ ସଦସ୍ୟ ତଥା ସିପିଆଇ ନେତା ମହମ୍ମଦ ତରକାମି ସାହିଦ ସର୍ବଦଳୀୟ ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି ।

ଧାରା ଥରେ ଲାଗୁ କରିବାକୁ ଦାବି କରିଛନ୍ତି ମେହବୁବା । ଧାରା ୩୭୦ ବିନା ଜାମ୍ମୁକାଶ୍ମୀରରେ ଶାନ୍ତି ଫେରାଇ ଆଣିବା କଷ୍ଟକର ବୋଲି ସେ କହିଛନ୍ତି । ଏଥିପାଇଁ ପାକିସ୍ତାନ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ତାଲିବାନ ସହିତ ଭାରତ କଥାବାର୍ତ୍ତା ଚଳାଇଥିବା ବେଳେ କାଶ୍ମୀର ନେଇ ପାକିସ୍ତାନ ସହ ଆଲୋଚନା କଲେ ଅସୁବିଧା କେଉଁଠି । ଯାହାକୁ ଜାମ୍ମୁକାଶ୍ମୀର ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ରେ ଜାମ୍ମୁକାଶ୍ମୀର ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିଲା । ସେହିଦିନଠାରୁ ପ୍ରାୟ ବର୍ଷେ ଧରି ଜାମ୍ମୁକାଶ୍ମୀରର ଅଧିକାଂଶ ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଘାଟିରେ ସ୍ଥିତି ସାମାନ୍ୟ ସୁଧାର ଆସିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା । ୮ ଦଳର ନେତା ଏକାଠି ହୋଇ ଗୁପକାର ମେଣ୍ଟ ଗଠନ କରି ଜାମ୍ମୁକାଶ୍ମୀରରେ ପୂର୍ବ ଆଇନ ଲାଗୁ କରିବାକୁ ଦାବି କରିଆସୁଛନ୍ତି ।

Comments are closed.