ଆଜି ସ୍ନାନଯାତ୍ରା : ହାତୀବେଶରେ ଦର୍ଶନ ଦେବେ ଶ୍ରୀଜୀଉ

48

ପୁରୀ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ପୁରୀରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମନ୍ଦିରର ନୀତିର୍ନିଘଣ୍ଟ ଅନୁସାରେ ଗୁରୁବାର ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମହାପ୍ରଭୁ ହାତୀବେଶରେ ଦର୍ଶନ ଦେବେ । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ବଡ଼ଦାଣ୍ଡରେ ରହି ଠାକୁରଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ ସାଧାରଣ ଭକ୍ତ ଓ ଶ୍ରୀଜଗନ୍ନାଥପ୍ରେମୀ । ଭକ୍ତଙ୍କୁ ସ୍ନାନଯାତ୍ରାର ସିଧାପ୍ରସାରଣକୁ ଟେଲିଭିଜନ ମାଧ୍ୟମରେ ଦେଖିବାକୁ ପଡ଼ିବ । ଗୁରୁବାର ଭୋର ସମୟରୁ ସ୍ନାନଯାତ୍ରାର ସିଧା ପ୍ରସାରଣ କରାଇବା ପାଇଁ ଟେଲିଭିଜନ ସଂସ୍ଥାଗୁଡ଼ିକ ଅନୁମତି ଦିଆଯାଇଛି । ତେବେ ବଡ଼ଦାଣ୍ଡରେ ଦିନତମାମ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସ୍ନାନପୂର୍ଣ୍ଣିମା ପାଇଁ ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ଏହାପରେ ରାତି ୧ଟାରୁ ୪ଟା ପର୍ଯ୍ୟନ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ ଲାଗି, ୫ଟା ୩୦ରେ ଅଧର ପୋଛା, ୬ଟାରେ ଅବକାଶ, ୬ଟା ୩୦ରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟ ପୂଜା, ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶଶେଷ, ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳବିଜେ, ପୂଜା, ସ୍ନାନ,୧୦ଟାରେ ମଇଲମ, ନୂଆଲୁଗା ଲାଗି ବେଶ, ୧୦ଟା ୩୦ରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ହାତୀ ବେଶ ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂ ,୪ଟାରେ ହାତୀବେଶ ମଇଲମ, ପୁଷ୍ପାଞ୍ଜଳି ଓ ଡୋରଲାଗି, ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ·ଟି ବନ୍ଧା ନୀତି ହେବ ।

ସେହିପରି ୨୫ ତାରିଖ (ମଧ୍ୟରାତ୍ରୀ) ୧୨ଟା ୩୦ରେ ଦଶ ଅବତାର ବିଜେ, ୧ଟାରେ ମହାସ୍ନାନ, ୧ଟା ୩୦ରେ ମଇଲମ ବେଶ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂ, ଭୋର ୩ଟା ୩୦ରେ ଦକ୍ଷିଣିଘର ରୋଗ ଏବଂ ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟିବା, ସକାଳ ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ ଓ ସକାଳ ୫ଟାରେ ବେହେରଣ ଦ୍ୱାର ବନ୍ଦ ଏବଂ ଜୟ-ବିଜୟ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଚଳିତବର୍ଷ ସାହାଣମେଳା ନୀତି ବନ୍ଦ ରହିବ ।

ଛେରାପହଁରା କରିବେନି ଗଜପତି ମହାରାଜା :

ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଛେରାପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି । ତେଣୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏଥର ସ୍ନାନ ଯାତ୍ରା ବେଳେ ଛେରାପହଁରା ନୀତି କରିବେ । ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ । ସେପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତିରୁ ଲାଗୁ ହେବ ୧୪୪ ଧାରା । ବୁଧବାର ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତ୍ରିାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ, ୫ ଜଣ ଅତିରିକ୍ତ ଏସ୍ ପି, ୨୩ ଡିଏସ୍ପି ଏବଂ ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସୁରକ୍ଷା ଦୃଷ୍ଟିରୁ ସହରକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଥିବା ବେଳେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

କେବଳ ପୁରୀରେ ହେବ ରଥଯାତ୍ରା :

ପୁରୀ ଛଡ଼ା ଅନ୍ୟ ଜାଗାରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ଏ ସଂପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନାକଲେ । କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ ।

ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର ଭଳି କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ମଧ୍ୟ ବିନା ଭକ୍ତରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ମନ୍ଦିରର ୫ଜଣ ସେବାୟତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଚଳିତବର୍ଷ ତୁଳସୀକ୍ଷେତ୍ରରେ ରଥଯାତ୍ରା କରିବାକୁ ବଳଦେବଜୀଉ ମନ୍ଦିର ସେବାୟତ, ନିଯୋଗ, ବିଭିନ୍ନ ସାମାଜିକ ସଂଗଠନ ସହିତ ସାଧୁସନ୍ଥମାନେ ଦାବି କରି ଆସୁଛନ୍ତି । ସେହିପରି ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡ଼ୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଥିଲେ । କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ତେବେ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ଗତବର୍ଷ ଭଳି ଚଳିତବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Comments are closed.