ସବୁ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

70

-ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତେ୍ୱ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି “ସବୁ ଜୀବନ ମୂଲ୍ୟବାନ’ ।
ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ୱିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ଯ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ଯ୍ୟୟ ପ୍ରବଣ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ବନ୍ୟା,ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଆମେ ନିୟମିତ ଭାବରେ ସାମ୍ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟଶ୍ ର ସାମ୍ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ।

ବର୍ତ୍ତମାନ ଓଡିଶାରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ,ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ । ଓଡ୍ରାଫ ଓ ଅଗ୍ନିସେବା ୟୁନିଟ୍ଗୁଡିକ ତୁରନ୍ତ ପଦକ୍ଷେପ ନେବା ପାଇଁ ସତର୍କ ହୋଇ ରହିବା ଜରୁରି । ବିପଦସଂକୁଳ ଓ ଅଗମ୍ୟ ଅଞ୍ଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରି । ବିପର୍ଯ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସବୁ ଜିଲ୍ଲା ଓ ସଂପୃକ୍ତ ବିଭାଗଗୁଡିକରେ କଣ୍ଟ୍ରୋଲ ରୁମ୍ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ମହିଳା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସଂପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସବୁ ବିଷୟଗୁଡିକୁ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର ।

ଏହି ଆଭିମୁଖ୍ୟ ନେଇ ବିପର୍ଯ୍ୟୟ ପ୍ରଭାବିତ ଲୋକମାନଙ୍କୁ ଠିକ୍ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା,ସରକାରୀ କର୍ମଚାରୀ ଓ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ପ୍ରକୃତିର ବିଭୀଷିକାର ମୁକାବିଲା ପାଇଁ ଆମର ସମାଜ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଆଲୋଚନାରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ନରସିଂହ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ବିଧାୟକ ପ୍ରତାପ କେଶରୀ ଦେଓ, ବିଧାୟକ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ପି.କେ.ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.