ଟିକା ନେଇଥିଲେ ବିମାନ ଭଡ଼ାରେ ଡିସକାଉଣ୍ଟ

68

ନୂଆଦିଲ୍ଲୀ : ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣ କେନ୍ଦ୍ର ହାତରେ ରହିଛି । ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି । ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ଡିସକାଉଣ୍ଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯିଏ ଟିକା ନେଇଥିବେ ସିଏ ଡିସକାଉଣ୍ଟ ପାଇବେ । ଇଣ୍ଡିଗୋ ବିମାନ କମ୍ପାନୀ ଏହି ଅଫର ଦେଇଛି । ବୁଧବାର ଇଣ୍ଡିଗୋ ବିମାନ କମ୍ପାନୀ ବିବୃତ୍ତି ଜାରି କରି କହିଛି, ଯିଏ ଗୋଟିଏ କି ଦୁଇଟି ଟିକା ନେଇଥିବେ ସିଏ ବିମାନ ଟିକେଟ କାଟିବା ବେଳେ ଡିସକାଉଣ୍ଟ ପାଇବେ । ମୋଟ୍ ଭଡାର ୧୦ ପ୍ରତିଶତ ଭଡା ଅଫର ଭାବରେ ବୁକିଂ ବେଳେ ମିଳିବ । ଇଣ୍ଡିଗୋ ଏଭଳି ଅଫର ଦେବାରେ ଭାରତର ପ୍ରଥମ କମ୍ପାନୀ ହୋଇଛି ।

ସୂଚନାଯୋଗ୍ୟ, ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି । ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଆସନ୍ତା ଦିନରେ ଟିକା ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଜୁଲାଇରେ ପ୍ରାୟ ୨୦-୨୨ କୋଟି ଡୋଜ ଉପଲବ୍ଧ ହେବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଅତି କମରେ ଦୈନିକ କୋଟିଏ ଲୋକଙ୍କୁ ଟିକାକରଣ କରିବା । କିନ୍ତୁ ୧.୨୫ କୋଟି ଲୋକଙ୍କୁ ଦୈନିକ ଟିକା ଦେଇପାରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି । ଟିକାକରଣ ଅଭିଯାନ ପାହାଡ଼ିଆ, ଆଦିବାସୀ ଏବଂ ଅଳ୍ପ ଜନବହୁଳ ଅଞ୍ଚଳ ସମେତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ବୋଲି ସେ କହିଛନ୍ତି ।

Comments are closed.