ଅଣସର ଘରେ ଚାଲିଲା ଶ୍ରୀଜୀଉଙ୍କ ଗୁପ୍ତନୀତି

73

-ଶ୍ରୀମନ୍ଦିରରେ ପଟିଦିଅଁ ପୂଜା

ପୁରୀ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ମହାପ୍ରଭୁ । ସେପଟେ ସଅଳ ନୀତିକାନ୍ତି ଯୋଗୁ ଆଜିଠାରୁ ୧୫ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ଅଣସର ଘରେ ଅସୁସ୍ଥ ଶ୍ରୀଜୀଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠାରୁ ପଟିଦିଅଁ ପୂଜା ପାଇଛନ୍ତି । ଏଥିପାଇଁ ଗୁରୁବାର ବିଳମ୍ବିତ ରାତିରେ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ ଗୁରୁବାର ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା । ପରେ ରାତି ୯ଟାରୁ ତାଟିବନ୍ଧା ଆରମ୍ଭ ହୋଇଥିଲା । ରାତି ୧୨ଟା ସୁଦ୍ଧା ତାଟିବନ୍ଧା ଶେଷପରେ ଦଶାବତାର ଶ୍ରୀମନ୍ଦିରକୁ ବିଜେ କରିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ବିଜେ କରିଥିଲେ । ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ବିଜେ କରିଥିଲେ । ରାତି ଗୋଟାଏରେ ମହାସ୍ନାନ କରାଯାଇଥିଲା । ପରେ ବିଳମ୍ବିତ ରାତିରେ ମଇଲମ, ବେଶ, ମଧ୍ୟାହ୍ନଧୂପ, ଦକ୍ଷିଣୀଘର ଭୋଗ, ଜୟବିଜୟ ଦ୍ୱାର ବନ୍ଦ ଓ ବେହେରଣ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହୋଇଛି ।

ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ରାତି ୪ଟାରେ ବେହେରଣ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ପଣାଭୋଗ ପରେ ଭୋର ୫ଟାରେ ବେହେରଣ ଦ୍ୱାରବନ୍ଦ ଓ ଜୟବିଜୟ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ । ଅଣସରର ଗୁପ୍ତନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ । ଏହି ୧୫ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ । ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ । ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ ଆଦି ଲାଗି ହେବ । ତେବେ ଘନଅନ୍ଧକାର ଭିତରେ ଏହି ଭୋଗ ଲାଗି ହେବ ।

Comments are closed.