ମାଟ୍ରିକ୍ ରେ ୯୭.୮୯% ପାସ୍

68

-ଏକ୍ସ ରେଗୁଲାରରେ ୪୭,୦୬୦ କୃତକାର୍ଯ୍ୟ
-ସବୁ ସ୍କୁଲର ରେଜଲ୍ଟ ଭଲ ହୋଇଛି
-ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ଆଉଥରେ ସୁଯୋଗ

କଟକ : ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ ଯୋଗୁଁ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା ଫଳାଫଳ । ଚଳିତବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି । ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ରେଜଲ୍ଟ ଘୋଷଣା କରିଛନ୍ତି । ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଥିବା ବେଳେ ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି । ୪୪୧୨ ପିଲା ଅନୁପସ୍ଥିତ ଥିବାବେଳେ ୨୨୫୬ ପିଲାଙ୍କ ମାର୍କ ଦେଇନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ସେହିପରି ଏ୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୬୫୬ । ଏ୨ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨,୧୩୧ ରହିଥିବା ବେଳେ ବି୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୨,୧୯୯ ରହିଛି । ସେହିପରି ବି୨ ଗ୍ରେଡରେ ଅଛନ୍ତି ୯୪,୪୭୫ ଛାତ୍ରଛାତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଚଳିତବର୍ଷ ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ଏଥର କୌଣସି ସ୍କୁଲରେ ରେଜଲ୍ଟ ଶୂନ୍ୟ ହୋଇ ନାହିଁ । ଏକ୍ସ ରେଗୁଲାରରେ ୫୩,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭,୦୬୦ ପାସ୍ ହୋଇଛନ୍ତି । ଏକ୍ସ ରେଗୁଲାରରେ ପାସ୍ହାର ୮୮.୩୦ ପ୍ରତିଶତ ରହିଛି ।

ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍ରେ ଉପଲବ୍ଧ ହୋଇଥିଲା ପରୀକ୍ଷା ଫଳ । ୱେବ୍ସାଇଟ୍ bseodisha.in, bseodisha.nic.in ରେ ଉପଲବ୍ଧ ହେବ ରେଜଲ୍ଟ । ଅନ୍ୟପଟେ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ପାଇପାରିବେ । ଏଥିପାଇଁ OR01 Space Roll No ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ ପଠାଇବାକୁ ହେବ । ସେପଟେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯଦି କେହି ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିଛନ୍ତି ସେମାନେ ଆଉ ଥରେ ମାଟ୍ରିକ ପରୀକ୍ଷା ଦେଇପାରିବେ । ଏନେଇ ଜୁଲାଇ ୫ ତାରିଖରେ ଫର୍ମ ପୂରଣ କରାଯିବ । ଏନେଇ ଅଧିକ ସୂଚନା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯିବ । ଏହାସହ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ମନରେ ଯେଉଁ ଶଙ୍କା ରହିଛି ଯେ ଆମେ ଏବେ ଯେଉଁ ପରୀକ୍ଷା ଦେବୁ ତାହା ଯୁକ୍ତ ୨ ଆଡମିସନ୍ ରେ ବ୍ୟବହାର ହେବ ନା ନାହିଁ । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଏହି ରେଜଲ୍ଟ ବାହାରିବା ଯାଏଁ ସାମ୍ସ ପୋର୍ଟାଲ ଖୋଲାରହିବ ।

Comments are closed.