ଦେଶରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ : ଓଡ଼ିଶାରେ କ’ଣ ହେବ ?

79

-ଦିଲ୍ଲୀରେ ଆଜିଠୁ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର
-ରାଜସ୍ଥାନରେ କୋହଳ, ମହାରାଷ୍ଟ୍ରରେ ବଢ଼ିଲା କଟକଣା
-କରୋନା କର୍ଫ୍ୟୁକୁ ହଟାଇ ଦେଲେ ମଧ୍ୟପ୍ରଦେଶ ସରକାର

ଭୁବନେଶ୍ୱର : ଦେଶରେ ଆରମ୍ଭ ହେଲାଣି ଅନ୍ଲକ୍ ପ୍ରକ୍ରିୟା । ସଂକ୍ରମଣ କମୁଥିବାରୁ ଜୁଲାଇ ଗାଇଡ୍ଲାଇନ୍ ରେ କିଛି ରାଜ୍ୟ କୋଭିଡ୍ କଟକଣାକୁ ଅଧିକ କୋହଳ କରିଛନ୍ତି । ଦୁଇମାସ ପରେ ସୋମବାରଠାରୁ ଦିଲ୍ଲୀରେ କଟକଣାକୁ କୋହଳ କରାଯାଇଛି । ସର୍ତ୍ତ ସହିତ ଜିମ୍ ଓ ଯୋଗ ସେଣ୍ଟର ଖୋଲିବ । କେବଳ ୫୦ ପ୍ରତିଶତ କ୍ଷମତା ସହିତ ଏଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିଛି । ବାହାରେ ମଣ୍ଡପ ଓ ହୋଟେଲରେ କେବଳ ବାହାଘର ଆୟୋଜନ ହେବ । ସର୍ବାଧିକ ୫୦ଜଣ ଏହି ବିବାହ ଉତ୍ସବରେ ସାମିଲ ହୋଇପାରିବେ ।

ସେହିପରି ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ କେସ୍ ଚିହ୍ନଟ ହେବା ପରେ କଟକଣାକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଜାରି ହୋଇଥିବା ଲେବୁଲ ୧ ଏବଂ ଲେବୁଲ ୨ ଅନଲକ୍ ପ୍ଲାନ୍କୁ ହଟାଇ ଦେଇଛନ୍ତି ସରକାର । ସଂକ୍ରମଣ ବଢ଼ୁଥିବାରୁ ଲେବୁଲ ୩ କଟକଣା ଜାରି କରାଯାଇଛି । ଜିଲ୍ଲାରେ ଖୋଲିବ ନାହିଁ ମଲ୍ କିମ୍ବା ସିନେମା ହଲ୍ । ଅପରାହ୍ନ ୪ଟା ଭିତରେ ହୋଟେଲରେ ଖାଇବାକୁ ଅନୁମତି ମିଳିବ । ତାହାପରେ କେବଳ ପାର୍ସଲ ନେବେ ଗ୍ରାହକ । ସେହିପରି ରାଜସ୍ଥାନରେ ଜୁଲାଇ ଗାଇଡ୍ଲାଇନ୍ ରେ କଟକଣା କୋହଳ ହୋଇଛି । ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଟିକାର ଗୋଟିଏ ଡୋଜ୍ ବାଧ୍ୟତାମୂଳକ । ସୋମବାରଠାରୁ ସରକାରୀ ଅଫିସ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ । ସର୍ତ୍ତ ସହିତ ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିବାକୁ ଅନୁମତି ରହିଛି । ୬୦ପ୍ରତିଶତ କର୍ମଚାରୀ, ଟିକା ନେଇଥିବା ଜିମ୍ ଓ ରେଷ୍ଟୁରାଣ୍ଟକୁ ଅତିରିକ୍ତ ସମୟ ଦିଆଯିବ । ମଣ୍ଡପରେ କେବଳ ବିବାହ ପାଇଁ ଅନୁମତି ମିଳିବ ।

ସେହିପରି ମଧ୍ୟପ୍ରଦେଶ ସରକାର ଜୁଲାଇ ଗାଇଡ୍ଲାଇନ୍ ରେ କରୋନା କର୍ଫ୍ୟୁକୁ ହଟାଇ ଦେଇଛନ୍ତି । କିନ୍ତୁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଅନ୍ୟ ରାଜ୍ୟରେ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଓଡ଼ିଶାରେ କ’ଣ ହେବ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଜୁଲାଇ ଗାଇଡ୍ଲାଇନ୍ ରେ କେଉଁ କ୍ଷେତ୍ରକୁ ଅଧିକ କୋହଳ ମିଳିବ । ଦିନେ ଦୁଇଦିନ ଭିତରେ ଗାଇଡ୍ଲାଇନ୍ ଆସିବ । ବର୍ତ୍ତମାନର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର ବିଚାରବିମର୍ଶ ଜାରି ରଖିଛନ୍ତି । ରାଜ୍ୟରେ ୩ରୁ ୪ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ଗ୍ରୀନ୍ ଜୋନ୍ ଆକ୍ଟିଭ୍ କେସ୍ ରେ ୨୧ ଏବଂ ପଜିଟିଭ୍ ରେ ୧୯ ଜିଲ୍ଲା ରହିଛି । ଆକ୍ଟିଭ୍ କେସ୍ ରେଡ୍ଜୋନ୍ ରେ ରହିଛି ୪ ଜିଲ୍ଲା । ଏହି ୪ ଜିଲ୍ଲା ହେଲା- ଖୋର୍ଦ୍ଧା, କଟକ,ଯାଜପୁର ଏବଂ ବାଲେଶ୍ୱର । କିନ୍ତୁ ପଜିଟିଭ୍ ରେଡ୍ ଜୋନ୍ରେ ପୁରୀ, ଖୋର୍ଦ୍ଧା, କଟକ ଏବଂ ନୟାଗଡ଼ ଜିଲ୍ଳା ରହିଛି । ଆଜି ରାଜ୍ୟରେ ପଜିଟିଭିଟି ହାର ରହିଛି ୪.୯୯ ପ୍ରତିଶତ ।

ବର୍ତ୍ତମାନ କାଟାଗୋରୀ ‘ବି’ ରେ ଥିବା ଏହିସବୁ ଜିଲ୍ଲାରେ କଟକଣା ବେଶୀ କୋହଳ ହୋଇନପାରେ । ସଂକ୍ରମଣ ହାର କମୁଥିବାରୁ କାଟାଗୋରୀ ‘ବି’ ରେ ଥିବା ଜିଲ୍ଲା ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, କେନ୍ଦ୍ରାପଡ଼ା କାଟାଗୋରୀ ‘ଏ’ କୁ ଆସିପାରନ୍ତି । ‘ଏ’ କାଟାଗୋରୀ ଜିଲ୍ଲାରେ ଅଧିକ କୋହଳ ହୋଇପାରେ କଟକଣା । ଏହିସବୁ ଜିଲ୍ଲାରୁ ସପ୍ତାହନ୍ତ ସଟ୍ଡାଉନ୍ ଉଠିପାରେ । ଦୋକାନବଜାର ଖୋଲିବା ସହିତ ନାଇଟ୍ କର୍ଫ୍ୟୁ ସମୟସୀମାକୁ ବୃଦ୍ଧି କରିପାରନ୍ତି ସରକାର । କିନ୍ତୁ କାଟାଗୋରୀ ‘ବି’ ରେ ଥିବା ଜିଲ୍ଲା ଯେଉଁଠାରେ ଆକ୍ଟିଭ୍ କେସ୍ ଏବଂ ପଜିଟିଭିଟି ହାର ବେଶି, ସେଠାରେ କଟକଣା କଡାକଡ଼ି କରାଯାଇପାରେ ।

Comments are closed.