୧୦୦ ଟଙ୍କା ପାଇଁ ପୂର୍ବତନ କୁଳପତିଙ୍କୁ ହତ୍ୟା

86

ଝାରସୁଗୁଡ଼ : ଦିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ହତ୍ୟା କରାଯାଇଛି । ଯାହା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳାଇ ଦେଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଛାନ୍ଭିନ୍ ଚଳାଇଛି । ରବିବାର ଦିନ ପ୍ରାୟ ଦୁଇଟା ସମୟରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମାତ୍ର ୧୦୦ ଟଙ୍କା ପାଇଁ ଜଣେ ଯୁବକ ସହିତ କୁଳପତିଙ୍କ ବଚସା ହୋଇଥିଲା । ବଚସା ଧୀରେ ଧୀରେ ଉଗ୍ର ରୂପ ନେବାରୁ ସମ୍ପୃକ୍ତ ଯୁବକଜଣକ ଟାଙ୍ଗିଆରେ ପୂର୍ବତନ କୁଳପତି ଧ୍ରୁବରାଜ ନାଏକଙ୍କ ବେକକୁ ଏକ ଚୋଟ ପକାଇଥିଲା । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଲଇକେରା ସିଏଚ୍ସିରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଝାରସୁଗୁଡ଼ାସ୍ଥିତ ସମଲେଶ୍ୱରୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ଥିବା ସମ୍ପୃକ୍ତ ଯୁବକକୁ ଜଙ୍ଗଲ ଭିତରୁ ଗିରଫ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଡକ୍ଟର ନାଏକ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ । ତେବେ ଜମିବାଡ଼ି ବିବାଦକୁ ନେଇ ମଧ୍ୟ ଏହି ହତ୍ୟାକାଣ୍ଡ ଘଟିଥିବା କେହି କେହି କହୁଛନ୍ତି । ତେବେ ଗିରଫ ଯୁବକକୁ ପୋଲିସ ପଚରାଉଚରା ଜାରି ରଖିଛି । ଖୁବ୍ଶୀଘ୍ର ଏହି ଘଟଣାର ଗୁମର ଫିଟିବ ବୋଲି ପୋଲିସ କହିଛି ।

Comments are closed.