ଭ୍ରମରେ ନ ରହି ଟିକା ନିଅନ୍ତୁ

74

-ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦଙ୍କୁ ମନେ ପକାଇଲେ

ଭୁବନେଶ୍ୱର : ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ପୁଣି ଥରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ୍’ରେ ସେ ସ୍ୱର୍ଗତଃ ମହାପାତ୍ରଙ୍କୁ ମନେ ପକାଇଛନ୍ତି । ମୋଦୀ କହିଛନ୍ତି, ଦେଶ ଜଣେ କର୍ମବୀରଙ୍କୁ ହରାଇଲା । କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ସେ ନିଜର ସରକାରୀ କର୍ତ୍ତବ୍ୟ ଜାରି ରଖିଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ କିପରି ଅକ୍ସିଜେନ ପହଞ୍ଚିବ ସେ ତାହାର ବ୍ୟବସ୍ଥା କରୁଥିଲେ । ତାଙ୍କର ଅସୁସ୍ଥତା ବଢି ଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରି ଚାଲିଥିଲେ । ଏପରିକି ବିଶ୍ରାମ ନେବାକୁ କୁହାଯିବା ସତ୍ତେ୍ୱ ବି ସେ ଭିଡିଓ କନ୍ଫରେନ୍ସିଂ ବୈଠକରେ ଯୋଗ ଦେଇଥିଲେ । ନିଜର ଦେଶବାସୀଙ୍କ ପାଇଁ ଏହିପରି ଥିଲା ତାଙ୍କର ନିଷ୍ଠା । କରୋନା ତାଙ୍କୁ ଆମଠାରୁ ଛଡ଼େଇ ନେଲା ବୋଲି ମୋଦୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ ମୃତ୍ୟୁବରଣ କରିଥିବା ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ୍ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ଯରତ ଥିଲେ । ଏହା ପୂର୍ବରୁ ସେ ଭାରତୀୟ ବିମାନ ପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶାର ବିଶିଷ୍ଟ ଲେଖକ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ଥିଲେ । ଏହି ଅବସରରେ ସେ ପୁଣି କହିଥିଲେ ଯେ, ଦେଶରେ କରୋନା ତାଣ୍ଡବ ରଚୁଛି । ଆମକୁ କରୋନାର
ଦ୍ୱିତୀୟ ଲହର କଲବଲ କରିସାରିଲାଣି । ଏହି ମହାମାରୀ ଲଢ଼େଇର ଏକମାତ୍ର ବିକଳ୍ପ ହେଉଛି ଭ୍ୟାକ୍ସିନ୍ । ତେଣୁ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଟିକା ଦେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ କି ମନରେ ଦ୍ୱନ୍ଦ୍ୱ ଆଣନ୍ତୁ ନାହିଁ । ଗୁଜବରେ ବିଶ୍ୱାସ ନକରି ସୁସ୍ଥ ମନରେ ଟିକା ନିଅନ୍ତୁ । କରୋନା ଯୁଦ୍ଧରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରି । ଟିକା ନେବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । କରୋନା ସଂକ୍ରମଣ ନାହିଁ ବୋଲି ଭାବିବା କିମ୍ବା ଭ୍ରମରେ ନ ରହିବାକୁ ସେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ।

Comments are closed.