ଏୟାରବେସ୍ ପରେ ମିଲିଟାରୀ ଷ୍ଟେସନ : ହାଇଆଲର୍ଟରେ ସେନା ଶିବିର

76

ଜମ୍ମୁ : ପୁଣିଥରେ ସୁରକ୍ଷାକର୍ମୀଙ୍କ ବେସ୍ ଉପରେ ଡ୍ରୋନ ଆକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ଆଜି ଜମ୍ମୁର କାଲୁଛକ ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ଡ୍ରୋନ୍ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି । ଏହି ଡ୍ରୋନ ଦୁଇଟିକୁ ଦେଖିବା କ୍ଷଣି ସୁରକ୍ଷାକର୍ମୀମାନେ ପ୍ରବଳ ଗୁଳିମାଡ଼ କରିଛନ୍ତି । ସୂଚନା ଅନୁସାରେ ଆଜି ଭୋର ୩ଟାରେ ସେନା ବେସ୍ ପରିସରରେ ଏହି ଦୁଇଟି ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ସୁରକ୍ଷା କର୍ମୀମାନେ ୨୦ରୁ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନ ଦୁଇଟିଯାକ ଅନ୍ଧାରର ଫାଇଦା ନେଇ ଖସି ଯାଇଥିଲେ । ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଏୟାରବେସ୍ ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସେହିପରି ବାୟୁସେନା ଓ ସ୍ଥଳସେନାର ଯବାନମାନଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।

ରବିବାର ଭୋର ସମୟରେ ସମାନ ଧରଣର ଡ୍ରୋନ ଆକ୍ରମଣ ଜମ୍ମୁରେ ଥିବା ବାୟୁସେନା ଏୟାରେବସ୍ ରେ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଦୁଇଜଣ ଯବାନ ଆହତ ହୋଇଥିଲେ । ଭାରତୀୟ ଏୟାରବେସ୍ ଉପରେ ପରି ଡ୍ରୋନ ଆକ୍ରମଣ ପ୍ରଥମ ଘଟଣା । ଏହାକୁ ଗୁରୁତ୍ୱର ସହ ନେଇ ଏନ୍ଆଇଏ ତଦନ୍ତ ଆରମ୍ଭ କରିଛି । ଡ୍ରୋନଦ୍ୱାରା ଦୁଇଟି ଆକ୍ରମଣ କରାଯାଇଥିଲା । ଗୋଟିଏ ବିସ୍ଫୋରଣ ଏୟାରବେସର ଟେକ୍ନିକାଲ ଅଞ୍ଚଳରେ କରାଯାଇଥିବା ବେଳେ ଆଉ ଗୋଟିଏ ବିସ୍ଫୋରଣ ଖୋଲା ସ୍ଥାନରେ ହୋଇଥିଲା । ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଛାତରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି । ବର୍ତ୍ତମାନ ଏନଆଇଏ ସହ ଜମ୍ମୁ-କଶ୍ମୀର ପୋଲିସ୍ ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି ।

Comments are closed.