କଟକଣା ହଟିଲେ ବିପଦ, ତୃତୀୟ ଲହର ନେଇ ସରକାର ପ୍ରସ୍ତୁତ : ସ୍ୱାସ୍ଥ୍ୟମନ୍ତ୍ରୀ

72

ଭୁବନେଶ୍ୱର : ଅକ୍ଟୋବର-ନଭେମ୍ବର ମାସରେ ଆସିପାରେ କରୋନାର ତୃତୀୟ ଲହର । ସେଥିପାଇଁ ନଭେମ୍ବର ପର୍ଯ୍ୟନ୍ତ କଟକଣାକୁ ବଳବତ୍ତର ରଖିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଟିକାକରଣ ବଢ଼ିଲେ ସଂକ୍ରମଣ କମିବ ବୋଲି କୁହାଯାଇଛି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କତା ଆରମ୍ଭ ହୋଇଯାଇଛି । ଅଗଷ୍ଟରେ ଲକ୍ଡାଉନ୍ ହଟିଲେ ବିପଦ ଆସିପାରେ । ତେଣୁ ନଭେମ୍ବର ପର୍ଯ୍ୟନ୍ତ କଟକଣା ସପକ୍ଷରେ ବିଶେଷଜ୍ଞ ଅଛନ୍ତି । କେନ୍ଦ୍ରର କୋଭିଡ୍-୧୯ ପରାମର୍ଶଦାତା କମିଟି ରିପୋର୍ଟ ଅନୁସାରେ ଥାର୍ଡ ୱେଭ୍କୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି । ତୃତୀୟ ଲହର ନେଇ ସବୁ ରାଜ୍ୟକୁ କମିଟି ସତର୍କ କରିଛି । ଏଥିପାଇଁ ସିନାରିଓ ଦେଇଛି ପ୍ୟାନେଲ ।

କୋଭିଡ୍ କମିଟିର ଆକଳନ ଅନୁଯାୟୀ ଅଗଷ୍ଟରେ ସବୁ ଖୋଲିଯିବା ସମ୍ଭାବନା ରହିଛି । ତେଣୁ ପୁଣିଥରେ ସଂକ୍ରମଣ ବଢ଼ିବା ସମ୍ଭାବନା ଅଧିକ । ପ୍ରଥମ ସମ୍ଭାବନା ଅନୁସାରେ ୫୦ ହଜାରରୁ ଏକଲକ୍ଷ ଭିତରେ ଦୈନିକ ସଂକ୍ରମଣ ରହିବ । ତୃତୀୟ ଲହର ଅକ୍ଟୋବର-ନଭେମ୍ବର ମଧ୍ୟରେ ପିକ୍ ନେବ । ଦ୍ୱିତୀୟ ସମ୍ଭାବନା ହେଉଛି ଭ୍ୟାକ୍ସିନ୍ ର ପ୍ରତିରୋଧ କ୍ଷମତା ୨୦ ପ୍ରତିଶତ କମିବା ସହିତ ଦୈନିକ ସଂକ୍ରମଣ ୧ଲକ୍ଷରୁ ଅଧିକ ରହିବ । ତୃତୀୟ ସମ୍ଭାବନା ହେଉଛି ଯଦି ନୂଆ ଭାରିଆଣ୍ଟ ଆସିଲା ତେବେ ତାହା ଅଧିକ ସଂକ୍ରମଣ କ୍ଷମତା ରଖିବ ।

ଦେଶରେ ଦେଢ଼ଲକ୍ଷରୁ ଦୁଇଲକ୍ଷ ଦୈନିକ ସଂକ୍ରମଣ ହୋଇପାରେ । ତେଣୁ ଅଗଷ୍ଟରେ କଟକଣା କୋହଳ ନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଅଧିକାଂଶ ଲୋକ ଟିକା ନ ନେବା ପର୍ଯ୍ୟନ୍ତ ଏହି କଟକଣା ଜାରିରଖିବା ଉଚିତ । ଦ୍ରୁତ ଟିକାକରଣ ହେଲେ ତୃତୀୟ ଲହରର ସଂକ୍ରମଣ କମ୍ ରହିବ ବୋଲି କମିଟି କହିଛି । ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ, କୋଭିଡ୍ ହୋଇଥିବା ଲୋକ ଗୋଟିଏ ଡୋଜ୍ ଟିକା ନେଲେ ତାହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ
ହୋଇଥାଏ ଏବଂ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ମ୍ୟୁଟାଣ୍ଟ ରୂପ ନେବା ପାଇଁ ମୁଖ୍ୟ କାରଣ ସାଜିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଅନ୍ୟପକ୍ଷରେ ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଗତ ୧୭ ତାରିଖରୁ ପ୍ରସ୍ତୁତ ଏସ୍ଓପିରେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳ, ମେଡିକାଲ କଲେଜ, ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଶିଶୁଙ୍କୁ ତୃତୀୟ ଲହର ବେଶୀ ପ୍ରଭାବିତ କରିପାରେ । ତେଣୁ ସବୁ ଡାକ୍ତର ଓ ନର୍ସଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଟ୍ରେନିଂ । ୧୦ଟି ଆଇସୋଲେସନ ବେଡ୍ ସିଏଚ୍ସିୟୁର ୨ରୁ ୪ଟି ବେଡ୍ ରଖିବାକୁ କୁହାଯାଇଛି । ୬୪ଟି ଏନ୍ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଭିମ୍ସାର ଏନ୍ଆଇସିୟୁରେ ୨୦ ବେଡ୍, ଏସ୍ସିବିରେ ୧୦, ବାଲେଶ୍ୱର ଏଫଏମ୍ ରେ ୧୦ ବେଡ୍ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା ପିଆଇସିୟୁରେ ୯୪ଟି , ଏଚ୍ଡିୟୁ ୮୪ଟି ପ୍ରସ୍ତୁତି ରଖିବାକୁ କୁହାଯାଇଛି । କଳାହାଣ୍ଡି ଓ ଦେବଗଡ଼ରେ ଶିଶୁଙ୍କ ପାଇଁ ଖୋଲିଛି ସ୍ୱତନ୍ତ୍ର ମେଡିକାଲ । ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସୁଛି । ଏହି ସମୟରେ ରାଜ୍ୟବାସୀଙ୍କୁ ସାବଧାନ ରହିବା ସହ କୋଭିଡ ନିୟମ ମାନିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡକୁ ମାତ୍ ଦେବାକୁ ଟିକାକରଣ ଓ କୋଭିଡ ନିୟମ ମାନିବା ଜରୁରି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କରୋନା ବିରୋଧୀ ଲଢେଇରେ ନିଶ୍ଚୟ ଜିତିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.