୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ସେବା

69

ଭୁବନେଶ୍ୱର : ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ବୋଲି ମନ୍ତ୍ରୀ କହିଛନ୍ତି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି । ରାଜ୍ୟର ଉତ୍କେଲା, ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ପ୍ରାୟ ସମସ୍ତ ଅଭିଭକ୍ତ ଜିଲ୍ଲାରେ ଥିବା ଏୟାର ଷ୍ଟ୍ରିପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ଦିନରାତି କସରତ କରୁଛନ୍ତି ।

ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ଭାରତର ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ପୁରୀ ଧାମକୁ ସାରା ବିଶ୍ୱରୁ ଲୋକେ ଆସୁଛନ୍ତି । ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ପୁରୀରୁ ମାତ୍ର ୩୫ କି.ମି. ଦୂରରେ ରହିଛି । ସାଂସ୍କୃତିକ, ଆର୍ଥିକ, ପର୍ଯ୍ୟଟନ ହବ୍ ହେବା ପାଇଁ ପୂରୀରେ ଅପୂର୍ବ ସୁଯୋଗ ରହିଛି । ଏହାକୁ ଆଖିରେ ରଖି ବିମାନବନ୍ଦର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।

Comments are closed.