ଶ୍ରୀଜୀଉଙ୍କ ନବଯୌବନ ବେଶ : ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

69

ପୁରୀ : ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ବନକଲାଗି ନୀତି ସମ୍ପନ୍ନ ହେବା ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁଇ ଦିନ ଧରି ପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ । ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହୋଇ ଦୀର୍ଘସମୟ ଧରି ଚାଲି ଶୁକ୍ରବାର ସମ୍ପନ୍ନ ହୋଇଥିଲା । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଥିଲା । ଶ୍ରୀମନ୍ଦିରରେ ଅବକାଶ ନୀତି ସରିବା ପରେ ଦଶଅବତାର ତାଟିଦିଅଁ ବା ପଟିଦିଅଁ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ନବଯୌବନ ଦର୍ଶନ ।

କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନରୁ ବଞ୍ଚିତ ରହିଥିଲେ । କେବଳ ଶ୍ରୀମନ୍ଦିର ସମ୍ମୁଖ ବ୍ୟାରିକେଟ୍ ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ପତିତପାବନଙ୍କ ବେଶ, ଆଳତୀ ଓ ଭୋଗ କରାଯାଇଥିଲା । ଏହି ଦୃଶ୍ୟ ଥିଲା ଅତ୍ୟନ୍ତ ଭାବଗମ୍ଭୀର, ଆଧ୍ୟାତ୍ମିକ ପରିବେଶ । ଏହାପରେ ଦଇତାପତିମାନେ ସର୍ବାଙ୍ଗ ଓ ବନ୍ଦାପନା କରିଥିଲେ । ନେତ୍ରୋତ୍ସବ ବନ୍ଦାପନା, ରାଜନୀତି ହୋଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା ।

ପ୍ରତିବର୍ଷ ନବଯୌବନ ଦର୍ଶନରେ ସାହାଣମେଲା ଓ ପରିମାଣିକ ଟିକେଟ୍ ଦର୍ଶନ ହେଉଥିବାବେଳେ ଚଳିତବର୍ଷ ଏହା ବନ୍ଦ ରହିଛି । ଆସନ୍ତା ଦୁଇ ଦିନ ଧରି ଉଭା ଯାତ୍ରା । ୧୧ତାରିଖ ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର, ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ଓ ଉପଜିଲ୍ଲାପାଳ ପ୍ରମୁଖ ଶ୍ରୀମନ୍ଦିର ଯାଇ ଅନୁଧ୍ୟାନ କରିବା ସହ ପ୍ରଭୁଙ୍କ ଏହି ଦିବ୍ୟ ଓ ପବିତ୍ର ବଯୌବନ
ଦର୍ଶନ କରିଥିଲେ ।

ସବୁ ସେବାୟତଙ୍କ ସହଯୋଗରେ ପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଛି । ଗୁରୁବାରଠାରୁ ତିନିରଥରେ କନା ପଡିବା ଆରମ୍ଭ ହୋଇଛି । ରଥକନା ମଣ୍ଡଣୀ ଶନିବାର ସୁଦ୍ଧା ସମ୍ପୂର୍ଣ୍ଣ ହେବ । ସେପଟେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଚାଲିଛି । ପ୍ରାୟ ୨୦୦୦ ସେବାୟତଙ୍କ କୋଭିଡ୍ ଟେଷ୍ଟ ସରିଛି । ନେଗେଟିଭ ରିପୋର୍ଟ ଆସିଥିବା ସେବାୟତଙ୍କୁ ନିଯୋଗ ପକ୍ଷରୁ ପାସ୍ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ରଥ ରହିବା ସ୍ଥାନକୁ ହ୍ୱାଇଟ୍ ଏନାମେଲ କରାଯାଇଛି । ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ୧୧ ତାରିଖ ରାତି ୮ରୁ ୧୩ ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ଏଥିପାଇଁ ଶନିବାର ସହରରେ ସଟ୍ଡାଉନ୍କୁ କୋହଳ କରାଯାଇଛି । ସମସ୍ତଙ୍କ ସହଯୋଗରେ ରଥଯାତ୍ରାକୁ କୋଭିଡ୍ କଟକଣା ଭିତରେ ସାରିବାକୁ ସମସ୍ତେ ଲାଗିପଡିଛନ୍ତି ।

ରବିବାରଠୁ ଶ୍ରୀକ୍ଷେତ୍ରରେ କର୍ଫ୍ୟୁ, ଲାଗୁ ହେବନି ସଟ୍ଡାଉନ :

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ । ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ । ଆସନ୍ତା ସୋମବାର ରଥ ଯାତ୍ରା । ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ୨ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ସଟ୍ଡାଉନ୍ କଟକଣା ପୁରୀରେ ଲାଗୁ ହେବ ନାହିଁ । ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

ଆଜି ସକାଳୁ ଚକାଅପସର ନୀତି କରାଯିବା ପରେ ମଙ୍ଗଳଆରତୀ ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତା’ପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ । ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ । ଅନ୍ୟପଟେ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ପରେ ପୂର୍ଣ୍ଣ ଅଣସର ଗୁପ୍ତ ସେବା ନୀତି ଶେଷ ହୋଇଛି । ଏପଟେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥ କନା ମୁଣ୍ଡଣି କାର୍ଯ୍ୟ କରାଯାଉଛି । ଏନେଇ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ନିତୀକାନ୍ତି ଶୃଙ୍ଖଳାର ସହ ଚାଲିଛି । ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରୁରେ କିପରି ହେବ, ମହାପ୍ରଭୁ କିପରି ରତ୍ନ ସିଂହାସନକୁ ଫେରିବେ ସେଥିପାଇଁ ସମସ୍ତେ ପ୍ରାଣପଣେ ଲାଗିଛନ୍ତି ।

Comments are closed.