ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

70

-୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରୀ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଜଳଭଣ୍ଡାରର ୭ ଓ ୮ ନମ୍ବର ସ୍ଲୁଇସ ଗେଟ୍ ଯୋଗେ ପୂର୍ବାହ୍ନ ୧୧ ଟା ସମୟରେ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ତଳିଆ ଅଞ୍ଚଳରେ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଅ।ଯାଇଥିଲା । ଏହା ସହିତ ଦୀର୍ଘ ସମୟ ଧରି ନିୟମିତ ବ୍ୟବଧାନରେ ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷରେ ଥିବା ସତର୍କତା ସାଇରନ୍ ବାଜୁଥିବା ପରିଲକ୍ଷିତ ହୋଇଥିଲା ।

ସାଧାରଣତଃ ହୀରାକୁଦ ନଦୀବନ୍ଧର ଜଳ ସ୍ତର ୬୧୮ ଫୁଟରେ ପହଞ୍ଚିବା ପରେ ସ୍ଲୁଇସ୍ ଗେଟ୍ ଗୁଡ଼ିକ ଖୋଲାଯାଇ ଅତିରିକ୍ତ ଜଳକୁ ନିଷ୍କାସିତ କରାଯାଇଥାଏ । ମାତ୍ର, ଚଳିତ ଋତୁରେ ନିର୍ଦ୍ଧାରିତ ଜଳସ୍ତର କିଛି କମ୍ ଅର୍ଥାତ୍ ଜଳସ୍ତର ୬୦୯.୩୯ ଫୁଟ ରହିଥିବା ବେଳେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳଭଣ୍ଡାରର ୨ ଟି ସ୍ଲୁଇସ୍ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଜି ସର୍ବପ୍ରଥମେ ଏଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ କୀର୍ତ୍ତନ କରାଯାଇ ବନ୍ୟା ଜଳ ନିଷ୍କାସନ ପାଇଁ ଗୋଟିଏ ପରେ ଗୋଟିଏ ଏହିପରି ପର୍ଯ୍ୟାୟ କ୍ରମେ ବାମପାର୍ଶ୍ବସ୍ଥ ୨ଟି ସ୍ଲୁଇସ୍ ଗେଟକୁ ଖୋଲାଯାଇଥିଲା ।

ମିଳିଥିବା ଶେଷ ସୂଚନା ଅନୁସାରେ, ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬୩,୬୧୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ମୋଟ୍ ୫୨,୮୬୪ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ଜଣାପଡିଛି । ସେଥିମଧ୍ୟରୁ ସଦ୍ୟ ଖୋଲାଯାଇଥିବା ୨ଟି ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୨୮,୬୨୮ କ୍ୟୁସେକ୍; ପାୱାର କେନାଲରେ ୧୮,୬୬୪ କ୍ୟୁସେକ୍, ବିଭିନ୍ନ କେନାଲରେ ମୋଟ ୪,୩୦୦ କ୍ୟୁସେକ୍ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନ ପାଇଁ ୨୭୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ତେବେ ପରବର୍ତ୍ତୀ ସମୟରେ ଉପର ମୁଣ୍ଡରେ ବର୍ଷାର ମାତ୍ରା ବୃଦ୍ଧି ପାଇଲେ ସେହି ଅନୁଯାୟୀ ପରିସ୍ଥିତିକୁ ଦେଖି ଆଗକୁ ଆଉ ଗେଟ୍ ଖୋଲା ଯିବ କି ନାହିଁ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି ।

Comments are closed.