ବର୍ଷାରେ ୩ଟି ଚେକ୍ ଡେମ୍ ଭାଙ୍ଗିବା ଘଟଣା

65

-ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ନିକଟସ୍ଥ ଡାବୁରିଆ ନାଳ ଉପରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ପାଞ୍ଚଟି ଚେକ୍ ଡେମ୍ ନିର୍ମାଣ ହେବାର ମାତ୍ର ଦୁଇ ତିନି ବର୍ଷ ମଧ୍ୟରେ ଭାଙ୍ଗି ଯିବା ଯୋଗୁଁ ୬ ଟି ଗାଁର ଚାଷୀ ମାନେ ପ୍ରଭାବିତ ହୋଇଛନ୍ତି । ଏହା ଦ୍ବାରା ୫ ଶହ ଏକରରୁ ଉର୍ଦ୍ଧ୍ବ ଜମିକୁ ଜଳ ସେଚନ ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ବହୁ ଚାଷୀ ଓ ରୁଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିଭାଗୀୟ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ଅଭିଯୋଗ ଅନୁସାରେ ଗତ ପ୍ରାୟ ସାତ ବର୍ଷ ପୂର୍ବେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଘାଇ ଗ୍ରାମର ଉପର ମୁଣ୍ଡରେ ପ୍ରବାହିତ ଡାବୁରିଆ ନାଳ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଡ୍ରେନେଜ ବିଭାଗ ପକ୍ଷରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ପାଞ୍ଚଟି ଚେକ୍ ଡେମ୍ ନିର୍ମାଣ କରାଯାଇଥିଲା । ଏହା ଦ୍ୱାରା ବାଲିଘାଇ, ସିଦ୍ଧିପୁର, ପୋଲସରା, ବନ୍ଥପଲ୍ଲୀ, ଓସ୍ତାପଡା ଓ କୋଙ୍କରଡା ଗ୍ରାମର ପାଞ୍ଚ ଶତାଧିକ ଏକର ଜମି ଜଳ ସେଚିତ ହୋଇ ପାରୁଥିଲା । କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗ ପକ୍ଷରୁ ଆଉ ଏହି ଚେକ୍ ଡେମ୍ ପ୍ରତି ଦୃଷ୍ଟି ଦିଆଗଲା ନାହିଁ । ଏଣୁ ପ୍ରତିବର୍ଷ ବର୍ଷା ସମୟରେ ଡାବୁରିଆ ନାଳର ପ୍ରଖର ଜଳ ସ୍ରୋତ ଯୋଗୁଁ ଚେକ୍ ଡେମ୍ ଗୁଡିକ ଧୋଇ ହୋଇ ଭାଙ୍ଗିବାରେ ଲାଗିଲା । ଫଳରେ ଜଳସେଚନ ହେବା ବଦଳରେ ଚାଷ ଜମିରେ ବାଲିଚର ମାଡିବାରେ ଲାଗିଲା ।

ଏ ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ଚାଷୀ ଓ ରୁଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିଭାଗୀୟ ଯନ୍ତ୍ରୀ , ଜିଲା ପ୍ରଶାସନ ଓ ରାଜସ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି କର୍ଣ୍ଣପାତ କରୁ ନଥିଲେ। ଏପରିକି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ ଅତିରିକ୍ତ ସଚିବ ଗତ ଅପ୍ରେଲ ମାସ ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କୁ ପତ୍ର ଲେଖିବା ପରେ ଏବଂ ଗଞ୍ଜାମ ଜିଲ୍ଲାପାଳ ଗତ ଜୁନ୍ ମାସ ୧ ତାରିଖ ଦିନ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପତ୍ର ସଂଖ୍ୟା ୧୪୪୭ ପ୍ରେରଣ କରିବା ପରେ ସେ ଏଥିପ୍ରତି ଗୁରୁତ୍ବ ଦେଇନଥିଲେ । ତେବେ ଋଷିକୂଲ୍ୟ ରୟତ ମହାସଭାର ଲଗାତାର ଉଦ୍ୟମ ଯୋଗୁଁ ଅ।ଜି ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଚେକ୍ ଡ୍ୟାମ୍ ଗୁଡିକୁ ପରିଦର୍ଶନ କରି ଯାଇଛନ୍ତି । ତେବେ ବିଡ଼ମ୍ବନାର ବିଷୟ ହେଉଛି ବର୍ଷା ଋତୁ ଅ।ରମ୍ଭ ହୋଇଯାଇଥିବାରୁ ଚିରସ୍ରାେତା ଡାବୁରିଅ। ନାଳ ଉପରେ ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ, ଏଣୁ ସ୍ବଳ୍ପ ବୃଷ୍ଟି ହେଲେ ଚଳିତ ଖରିଫ ଚାଷ ସମୟରେ ମଧ୍ୟ ଚାଷୀ ମାନେ ଫସଲ ଅମଳରୁ ବଞ୍ଚିତ ହେବେ।

Comments are closed.