ମିଶନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ୍ :‘ମା’ମାନେ ଓଡ଼ିଶାର ବିକାଶ ବାହିନୀ’

73

-୩୩୮ ବ୍ଲକ୍ ମିଶନ ଶକ୍ତି ଭବନ ପାଇଁ ୧୬୯ କୋଟି
-ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି
-ବ୍ୟବସାୟରେ ସହାୟତା ନିମନ୍ତେ ୮୪.୫୦ କୋଟି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମିଶନ ଶକ୍ତି ହେଉଛି- ଓଡ଼ିଶାର ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଅନୁଷ୍ଠାନ । ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ । ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି ।’ କୋଭିଡ ସମୟରେ ମିଶନ ଶକ୍ତିର ମାଆମାନେ ବହୁତ ଭଲ କାମ କରିଛନ୍ତି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିବସ । ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମାଆମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ମାଆମାନେ କୋଭିଡ୍ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାଠାରୁ ଆରମ୍ଭକରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି । “ମୁଁ ସବୁବେଳେ କହି ଆସିଛି, ମା’ ସଶକ୍ତ ହେଲେ, ପରିବାର ସଶକ୍ତ ହେବ । ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ । ଇତିହାସର ଧାରା ମଧ୍ୟ ବଦଳିଯିବ ।’ ମିଶନ ଶକ୍ତିର ମା’ମାନଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନଜୀବିକାଠାରୁ ଆରମ୍ଭକରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି । ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର- କୋରାପୁଟର ବୋରିଗୁମ୍ମାଠାରୁ ଆରମ୍ଭକରି କଟକର ନିଆଳି ପର୍ଯ୍ୟନ୍ତ ଆମର ବ୍ଳକ ସ୍ତରୀୟ ମହାସଂଘର ମା’ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋର ବିଶ୍ୱାସ, ଦିନେ ଆପଣମାନଙ୍କ ଭିତରୁ ବଡ଼ ବଡ଼ ଉଦ୍ୟୋଗୀ ବାହାରିବେ ।’ ରାଜ୍ୟ ସରକାର ବ୍ଲକ୍ ଲିଭେଲ୍ ଫେଡେରେସନର ଆବର୍ତ୍ତନ ପାଙଋି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି କହିଛନ୍ତି । ମିଶନ ଶକ୍ତିର ମାଆମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି । ଗତବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜିବନୀ ପରି କାର୍ଯ୍ୟ କରେ । ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଙଋି କରିଛନ୍ତି ତାହା ମିଶନ ଶକ୍ତିକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମିଶନ ଶକ୍ତି ମାଆମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଛନ୍ତି, ମିଶନ ଶକ୍ତି ଆଜି ମାଆମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ସେମାନେ ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସମ୍ପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସମ୍ପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସମ୍ପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସମ୍ପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସ୍ୱତନ୍ତ୍ର ସହାୟତା ପାଇଁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀ ଆମମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ । ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ । ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆ·ର ବ୍ୟବସାୟ ପାଇଁ ଏଚଡିଏଫସି ବ୍ୟାଙ୍କ ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା ।

Comments are closed.