ଅନ୍ଲକ୍: କ’ଣ ହେବ ଅଗଷ୍ଟ ରଣନୀତି ?

56

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟ ୨ହଜାରରେ ସ୍ଥିର ରହୁଛି । ପଜିଟିଭିଟି ହାର ଗତ ୨୪ ଘଣ୍ଟାରେ କଟକକୁ ଛାଡ଼ିଦେଲେ ସବୁ ଜିଲ୍ଲା ସବୁଜ କ୍ଷେତ୍ରରେ ରହିଛି । କେବଳ ୪ ଜିଲ୍ଲାରେ କେସ୍ଲୋଡ଼୍ ୧ହଜାର ଉପରେ ରହିଛି । ସଂକ୍ରମଣ କମୁଥିବାରୁ ତୃତୀୟ ପର୍ଯ୍ୟାୟରେ ଅନଲକ୍ରେ ସରକାର ଅନେକ କଟକଣା କୋହଳ କରିଛନ୍ତି । କିନ୍ତୁ ପୂର୍ବାନୁମାନ କରାଯାଉଛି ଅଗଷ୍ଟ ଶେଷ ବେଳକୁ ଥାର୍ଡ ୱେଭ୍ ଆସିପାରେ । ଅଗଷ୍ଟ ପହିଲାରେ ସରୁଛି ତୃତୀୟ ପର୍ଯ୍ୟାୟ ଅନ୍ଲକ୍ ଅବଧି । ଏହପରେ ସରକାରଙ୍କ ଅଗଷ୍ଟ ରଣନୀତି କ’ଣ ହେବ ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନ କାଟାଗୋରୀ ‘ଏ’ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୦ ଜିଲ୍ଲା ଥିବାବେଳେ କାଟାଗୋରୀ ‘ବି’ରେ ଅଛି ଉପକୂଳର ୧୦ ଜିଲ୍ଲା । ଅଗଷ୍ଟରେ ଏଥିରେ ପରିବର୍ତ୍ତନ ହେବ ନା ଯାହା ଅଛି ତାହା ରହିବ । କାରଣ କାଟାଗୋରୀ ‘ବି’ ଜିଲ୍ଲାରେ ଥିବା ଖୋର୍ଦ୍ଧା ଓ କଟକ ଦୈନିକ ସଂକ୍ରମଣରେ ଟପ୍ ଦୁଇ ଜିଲ୍ଲାରେ ରହିଛି । ଏହାସହ ବାଲେଶ୍ୱର ଓ ଯାଜପୁରରେ କେସ୍ ଲୋଡ୍ ଏବେ ବି ୧ହଜାର ଉପରେ ରହିଛି । ପୁରୀରେ ନୀଳାଦ୍ରି ବିଜେ ସହ ସରୁଛି ରଥଯାତ୍ରା । ପୁରୀରେ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି । ପୁରୀ ଜିଲ୍ଲା ପାଇଁ ସରକାର କ’ଣ ନିଷ୍ପତ୍ତି ନେବେ ତା’କୁ ମଧ୍ୟ ସମସ୍ତଙ୍କ ନଜର ରହିଛି । ବର୍ତ୍ତମାନ ସବୁ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ରହିଛି । କାଟାଗୋରୀ ‘ଏ’ ଜିଲ୍ଲାରେ ରାତି ୮ରୁ ଏବଂ କାଟାଗୋରୀ ‘ବି’ ଜିଲ୍ଲାରେ ସନ୍ଧ୍ୟା ୫ରୁ କର୍ଫ୍ୟୁ ଲାଗୁ ହୋଇଛି । ତୃତୀୟ ଲହର ମୁକାବିଲା ପାଇଁ ସରକାର କର୍ଫ୍ୟୁ ସମୟ ପରିବର୍ତ୍ତନ କଲେ ବି ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରଖିପାରନ୍ତି । ଅନ୍ୟପକ୍ଷରେ କାଟାଗୋରୀ ‘ବି’ ଜିଲ୍ଲାରେ ଥିବା ସପ୍ତାହାନ୍ତ ସଟ୍ଡାଉନ୍ ରହିବ ନା ହଟିବ, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ଆସନ୍ତା ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲୁଛି । ପ୍ରାଥମିକ ସ୍ତରରେ ବିଦ୍ୟାଳୟ ଖୋଲିବା ପାଇଁ ଚିନ୍ତା କରାଯାଉଛି । କିନ୍ତୁ ଅଗଷ୍ଟ ଆଶଙ୍କା ଦେଖି ସବୁ ଶିକ୍ଷକଙ୍କୁ ଟିକାକରଣ ନହେବା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ପାଇଁ ସରକାର ଅପେକ୍ଷା କରିପାରନ୍ତି । ବର୍ତ୍ତମାନ ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଅଗଷ୍ଟରେ ଏହା ମଧ୍ୟ ବଳବତ୍ତର ରହିପାରେ । ସିନେମା ହଲ୍ ଓ ମଲ୍ ବି ଖୋଲିନାହିଁ । ଏହା ବନ୍ଦ ରହିବ ନା କଟକଣା ଭିତରେ ଖୋଲିବ ? ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ମିଳିବ ନା ବନ୍ଦ ରହିବ ଏଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ତୃତୀୟ ଲହର ଆଶଙ୍କାରେ ସରକାର କଟକଣାକୁ ସମ୍ପୂର୍ଣ୍ଣ ହଟାଇନପାରନ୍ତି । କିଛି ରାଜ୍ୟରେ କଟକଣା ହଟିବା ପରେ ନିୟମ ଉଲ୍ଲଂଘନ ନଜରକୁ ଆସିଥିଲା । ଥାର୍ଡୱେଭ୍ ଆଶଙ୍କା ଭିତରେ ରାଜ୍ୟରେ ସେପରି ଘଟଣା ଏଡାଇବାକୁ ଚାହୁଁଛନ୍ତି ସରକାର ।

Comments are closed.