ପ୍ରକୃତିର ପ୍ରକୋପ ଆଗରେ ତ୍ରସ୍ତ ବିଶ୍ୱ

65

ଭୁବନେଶ୍ୱର : ପ୍ରକୃତିର ପ୍ରକୋପ ଆଗରେ ତ୍ରସ୍ତ ବିଶ୍ୱବାସୀ । ପ୍ରକୃତିର କରାଳ କାୟାରେ ଛଟପଟ ଜନଜୀବନ । କେଉଁଠି ବର୍ଷା ତ ଆଉ କେଉଁ ଭୂସ୍ଖଳନ । ଆଉ କେଉଁଠି ପ୍ରବଳ ତାପମାତ୍ରା ଯୋଗୁ ଯାଉଛି ଲୋକଙ୍କ ଜୀବନ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖାଯାଉଛି ପ୍ରାକୃତିକ ବିପର୍ଯ୍ୟୟ । ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ଧନଜୀବନ ହାନୀ ହୋଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ସାମୁଦ୍ରିକ ଝଡ଼ । ମୂଷଳଧାରା ବର୍ଷାରେ ଏସୀୟ ଓ ୟୁରୋପିୟ ଦେଶ ପ୍ରଭାବିତ ହୋଇଥିବା ବେଳେ ଆମେରିକାରେ ଅସହ୍ୟ ଗରମ ନେଇଛି ଅନେକ ଜୀବନ । ମହାରାଷ୍ଟ୍ରରେ ୩ଦିନ ଧରି ଲଗାଣବର୍ଷାରେ ଯାଇଛି ୧୩୮ ଜୀବନ । ୯୦ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅର୍ଦ୍ଧାଧିକ ଲୋକ ବର୍ଷା ଓ ଭୂସ୍ଖଳନରେ ଫସି ରହିଛନ୍ତି । ରାୟଗଡ଼ରେ ଭୂସ୍ଖଳନରେ ୩୬ଜଣଙ୍କ ଜୀବନ ଯାଇଛି ।

ସେହିପରି ୧୭ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ଲୋକ ବନ୍ୟାଜଳରେ ଭାସି ଯାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନ୍ଡିଆରଏଫ୍, ଦମକଳ ଓ ଭାରତୀୟ ସେନାର ୬ଟି ଟିମ୍ । ସମସ୍ତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅନ୍ୟପକ୍ଷରେ ଚୀନ୍ ରେ ମଧ୍ୟ ଦେଖାଦେଇଛି ବର୍ଷା ବିପର୍ଯ୍ୟୟ । କେନ୍ଦ୍ର ଚୀନ୍ର ହେନାମ ପ୍ରଦେଶରେ ପ୍ରବଳବର୍ଷାରେ ୨୫ଜଣଙ୍କ ମୃତ୍ୟୁ ଘଟିଛି । ୨ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣିର ପ୍ରଖର ସ୍ରୋତରେ ଗାଡିଗୁଡ଼ିକ ଭାସିଯାଇଛି । ଏପରିକି ମେଟ୍ରୋ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ରାଷ୍ଟ୍ରପତି ଜି ଜିନ୍ପିଙ୍ଗ ସବୁଠାରୁ ବଡ଼ ବିପତ୍ତି ବୋଲି ଘୋଷଣା କରିଛନ୍ତି । ପ୍ରବଳବର୍ଷା ଓ ଭୂସ୍ଖଳନରେ ଦୋହଲି ଯାଇଛି ଚୀନ୍ ର ଭିତ୍ତିଭୂମି ।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ସାମୁଦ୍ରିକ ଝଡ଼ । ଜାପାନ ପାଣିପାଗ ସୂଚନା ମୁତାବକ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଟାଇଫୁନ୍ ସୃଷ୍ଟି କରିପାରେ । ସୋମବାର ଟୋକିଓର ଦକ୍ଷିଣ ଭାଗରେ ଏହା ହିଟ୍ କରିପାରେ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୬୫ ମାଇଲ ରହିପାରେ । ଅନ୍ୟପକ୍ଷରେ ଆମେରିକାରେ ଦେଖାଦେଇଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଥଣ୍ଡାଦେଶରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ଅଂଶୁଘାତରେ ସେଠାରେ ୫୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଛି । ପ୍ରକୃତିର କୋପ ଆଗରେ ବିଜ୍ଞାନକୁ ନେଇ ନିଜକୁ ଗର୍ବ କରୁଥିବା ମଣିଷ ସତେ ଯେମିତି ହାର ମାନୁଥିବା ଭଳି ଜଣାଯାଇଛି ।

Comments are closed.