ଭଦ୍ରକକୁ ରେଳ ଡିଭିଜନ୍ ମାନ୍ୟତା ଦାବି ଜୋର ଧରିଲା

63

ଭଦ୍ରକ : ଭଦ୍ରକକୁ ରେଳ ଡିଭିଜନ୍ ମାନ୍ୟତା ପ୍ରଦାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସର୍ବଦଳୀୟ ରାଜନୈତିକ ନେତୃବୃନ୍ଦଙ୍କ ମହଲରେ ଦାବି ଜୋର ଧରିଛି । ଏଥି ଉପଲକ୍ଷେ ଆଜି ସ୍ଥାନୀୟ ଅଭିନନ୍ଦନ ହୋଟେଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭଦ୍ରକର ବହୁ ବୁଦ୍ଧିଜୀବୀ ଓ ରାଜନୈତିକ ନେତୃବୃନ୍ଦ ଯୋଗ ଦେଇଥିଲେ । ସମାଜସେବୀ ଜନାବ ଉମର ଅଲ୍ଲୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ଗୌରଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷାବିତ୍ ଚନ୍ଦ୍ରଭାନୁ ନାୟକ ବିବରଣୀ ପାଠ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ଭଦ୍ରକକୁ ରେଳ ଡିଭିଜନ୍ର ମାନ୍ୟତା ପ୍ରଦାନ ନିମନ୍ତେ ଜୋରଦାର ଦାବି କରିବାର ନିଷ୍ପତି ନିଆଯାଇଥିଲା । ବିଏନ୍ଆର ଠାରୁ ଆରମ୍ଭ କରି ପୂର୍ବତଟ ରେଳବାଇ ଜୋନ୍ ରେ ସୃଷ୍ଟି ପର୍ୟ୍ୟନ୍ତ ଭଦ୍ରକ ଏକ ସର୍ବପୁରାତନ ରେଳଷ୍ଟେସନର ମାନ୍ୟତା ଲାଭ କରିଛି । ଭଦ୍ରକର ସ୍ୱଚ୍ଛ ଭିତିଭୂମି, ୪୭୦ ଏକରରୁ ଅଧିକ ଷ୍ଟେସନ ସଂଲଗ୍ନ ରେଳବାଇ ଜମି, ଭଦ୍ରକର ଲୋକସେଡ୍, ବିସ୍ତୀର୍ଣ୍ଣ ରେଳବାଇ ପଡିଆ, ଆରପିଏଫ୍ ବ୍ୟାରେକ ଓ କାର୍ୟ୍ୟାଳୟ, ରେଳବାଇ ଇନ୍ଷ୍ଟିଚ୍ୟୁଟ, ପ୍ରଶସ୍ତ ଖୋଲାସ୍ଥାନ, କର୍ମଚାରୀଙ୍କ କ୍ୱାର୍ଟର, ଆଇଓଡବ୍ଲ୍ୟୁ ପିଡବ୍ଲ୍ୟୁଆଇ, ଚିଲେଡ୍ରନସ୍ ପାର୍କ ଭଳି ଭଦ୍ରକରେ ଉପଲବ୍ଧ ଥାଇ ଏହାକୁ ଡିଭିଜନ୍ ନକଲେ ଆଗାମୀ ଦିନରେ ଏହା ଏକ ବିରାଟ ଜନ ଆନେ୍ଦାଳନର ରୂପ ନେବ ବୋଲି ଉପସ୍ଥିତ ଥିବା ବୁଦ୍ଧିଜୀବୀମାନେ ମତପ୍ରଦାନ କରିଥିଲେ ।

ଏତଦ୍ବ୍ୟତୀତ ଜୋନ୍ ରେ ସବୁଠାରୁ ଅଧିକ ଆର୍ଥିକ ଉପାର୍ଜନ ଭଦ୍ରକ ରେଳଷ୍ଟେସନରୁ ହୋଇଥାଏ । ଭଦ୍ରକରୁ ଧାମରା ରେଳଲାଇନ୍ ଆଭ୍ୟନ୍ତରୀଣ ଓ ବର୍ହିବାଣିଜ୍ୟରେ ଯଥେଷ୍ଟ ସହାୟତା କରିବା ସହ ଅର୍ଥ ଉପାର୍ଜନ କରାଇବାରେ ପ୍ରମୁଖ ଭୂମିକା ନେଉଛି । ଭଦ୍ରକର ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତିଭୂମି ଥିବାରୁ ଏହାକୁ ରେଳ ଡିଭିଜନର ମାନ୍ୟତା ମିଳିବା ପର୍ୟ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ସ୍ଥିର କରାଯାଇଥିଲା । ଏହି ସଭାରେ ବରିଷ୍ଠ ଆଇନ୍ଜୀବୀ ଦିବ୍ୟସିଂହ ନାୟକ, ପବନ କୁମାର ଶର୍ମା, ପରେଶ ନାୟକ, ନରେନ ପଲେଇ, ପ୍ରଫୁଲ୍ଲ ନାୟକ, ଶିଶିର ମିଶ୍ର, ଦିଲ୍ଲୀପ ନାୟକ, ଦେବେନ୍ଦ୍ର ମହାନ୍ତି, ସୁଧାକର ରାଉତ, ଜ୍ୟୋତିକାନ୍ତ ନାୟକ, ନିରଂଜନ ପାଣି, ଉôପଳକାନ୍ତି ଦାସ ଓ ସତ୍ୟରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ଏହି ଦାବିକୁ ଭଦ୍ରକର ସାଂସଦ ଓ ସମସ୍ତ ବିଧାୟକଙ୍କୁ ଅବଗତ କରାଯାଇ ଜନ ସଚେତନତା ସୃଷ୍ଟି କରାଯିବାକୁ ବୁଦ୍ଧିଜୀବୀମାନେ ମତ ରଖିଥିଲେ ।

Comments are closed.