‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଯୋଜନାର ଶୁଭାରମ୍ଭ : ପୁରୀବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ

71

-ଅଢ଼େଇଲକ୍ଷ ବାସିନ୍ଦାଙ୍କୁ ୨୪ଘଣ୍ଟିଆ ଶୁଦ୍ଧ ପାଣି
-ଉପକୃତ ହେବେ ଦୁଇ କୋଟି ପର୍ଯ୍ୟଟକ
-ବିଶୁଦ୍ଧ ଜଳ ପାଇବାରେ ପୁରୀ ଦେଶରେ ପ୍ରଥମ
-ବାର୍ଷିକ ୪୦୦ ମେଟ୍ରିକ୍ ଟନ୍ର ବର୍ଜ୍ୟବସ୍ତୁ ହ୍ରାସ ପାଇବ

ପୁରୀ : ପୁରୀକୁ ଟ୍ୟାପ୍ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ । ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍ ଯୋଗେ ଉଚ୍ଚମାନର ବିଶୁଦ୍ଧ ପାନୀୟଜଳ ମିଳିବାରେ ଦେଶର ପ୍ରଥମ ସହର ହେଲା ପୁରୀ । ସୋମବାର ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି । ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି । ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଲଣ୍ଡନ, ଲସ୍ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ । ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ । ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ମିଶନ ଶକ୍ତିର ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଜୟ ଜଗନ୍ନାଥ କହି ଉଦ୍ବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତିର ମା’ମାନେ ଜଳସାଥୀ ହୋଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀକ୍ଷେତ୍ର ଯୋଜନା ଆଗେଇ ଚାଲିଛି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ । ବିସ୍ତୃତ ବିବରଣୀ ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ’ ଏକ ଯୁଗାନ୍ତକାରୀ ପ୍ରକଳ୍ପ । ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ପୁରୀ ସହରର ଅଢେଇ ଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ । ଏହି ଯୋଜନାରେ ଭାରତର ଆଧ୍ୟାତ୍ମିକ ରାଜଧାନୀକୁ ଆସୁଥିବା ବାର୍ଷିକ ୨କୋଟି ପର୍ଯ୍ୟଟକ ମଧ୍ୟ ଉପକୃତ ହେବେ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାରେ ପୁରୀ ସହର ଆମେରିକା ଲଣ୍ଡନ, ସିଙ୍ଗାପୁର ସହର ସହ ସମକକ୍ଷ ହୋଇପାରିଛି । ଏପରି ସଫଳତା ହାସଲ କ୍ଷେତ୍ରରେ ପୁରୀ ସାରା ଦେଶରେ ହେଉଛି ପ୍ରଥମ ସହର । ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍ ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ । ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅଧୀନରେ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ଯୋଜନାର କାର୍ଯ୍ୟାରମ୍ଭ ହେଉଛି ।

Comments are closed.