ଅପରେସନ୍ କ୍ଲିନ୍ଅପ୍ : ସବୁ ଗ୍ୟାଙ୍ଗଷ୍ଟରଙ୍କ ଉପରେ କଡ଼ା ନଜର

76

-ଅପରାଧ କରିବାକୁ ଦିଆଯିବନି ସୁଯୋଗ
-ଜେଲ୍ ୱାର୍ଡରଙ୍କ ପୋଷାକରେ ଲାଗିବ ବଡ଼ି କ୍ୟାମେରା

ଭୁବନେଶ୍ୱର : ଦୁର୍ଦ୍ଦାନ୍ତ ଅପରାଧୀ ରହୁଥିବା ଜେଲଗୁଡ଼ିକ ଉପରେ ବଢ଼ିଛି ସର୍ଭିଲାନ୍ସ । ଗ୍ୟାଙ୍ଗଷ୍ଟରଙ୍କ ଉପରେ ନଜର ରଖିବାକୁ ସିସିଟିଭି ନେଟୱର୍କକୁ ସୁଦୃଢ଼ କରାଯାଇଛି । ଏହି ଅପରାଧୀମାନେ ଭିତରେ କିଛି ଷଡ଼ଯନ୍ତ୍ର କରୁନାହାନ୍ତି ତ ? ଏସବୁର ଖବର ରଖୁଛି ଜେଲ୍ ବିଭାଗ । ସିସି ନେଟୱର୍କ ଓ ମେଟାଲ ଡିଟେକ୍ଟରକୁ ଅପ୍ଡେଟ୍ କରାଯାଉଛି । ଜେଲ୍କୁ କିଏ ଆସୁଛି, ମୋବାଇଲ, ସିମ୍ କାର୍ଡ ପ୍ରବେଶ ହେଉଛି କି ନାହିଁ ଏସବୁ ଉପରେ ନଜର ରଖାଯାଉଛି । ଏପରିକି ଜେଲ୍ ୱାର୍ଡରଙ୍କ ପୋଷାକରେ ବଡ଼ି କ୍ୟାମେରା ଲଗାଇବା ପାଇଁ ଯୋଜନା ରହିଛି । ଅଧିକ ଦିନ ଗୋଟିଏ ଜେଲ୍ ରେ ଅପରାଧୀମାନେ ରହିବା ଯୋଗୁ ସେଠାରେ ସକ୍ରିୟ ହୋଇପଡ଼ୁଛନ୍ତି । ତେଣୁ ସେମାନଙ୍କୁ ନିୟମିତ ବ୍ୟବଧାନରେ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି । ଚୌଦ୍ୱାର ଜେଲ୍ ରେ ହାଇଦର ମଧ୍ୟ ନୂଆ ଗ୍ୟାଙ୍ଗ ଗଢ଼ିବାକୁ ଚେଷ୍ଟା ଆରମ୍ଭ କରିଦେଇଥିଲା । ଏଥିପାଇଁ ସେ ବ୍ଲୁ ପ୍ରିଣ୍ଟ ମଧ୍ୟ କରିସାରିଥିଲା । ଜେଲ୍ କର୍ତ୍ତୃପକ୍ଷଙ୍କୁ ସୁରାକ୍ ମିଳିବା ପରେ ତାର ଯୋଜନାକୁ ଭଣ୍ଡୁର କରିବା ପାଇଁ ତାକୁ ସ୍ଥାନାନ୍ତର କରାଯାଇଥିଲା ।

ଜେଲ୍ ରେ ନିରୀକ୍ଷଣ ବଢ଼ାଇବାକୁ ରାଜ୍ୟର ସବୁ ଜେଲ୍ ୱାର୍ଡରଙ୍କ ପୋଷାକରେ ବଡ଼ି କ୍ୟାମେରା ଲଗାଯିବ । ପ୍ରଥମେ ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱର ଝାରପଡ଼ା ଏବଂ ଚୌଦ୍ୱାର ସର୍କଲ ଜେଲ୍ ରେ ଆରମ୍ଭ ହେବ । ସଫଳ ହେଲେ ଅନ୍ୟ ଜେଲ୍ ରେ ଏହା ବ୍ୟବହାର ହେବ । ଏବେ ସର୍ଭିଲାନ୍ସରେ ଡି ବ୍ରଦର୍ସ ରହିଛନ୍ତି । ଉଭୟ ଜେଲରେ ଥିବା ସମୟରେ କଟକସ୍ଥିତ ତାଙ୍କ ଘରୁ ବହୁ ପରିମାଣର ବନ୍ଧୁକ ଜବତ ହୋଇଥିଲା । ତେଣୁ ସେ ସକ୍ରିୟ ଥିବା ଜଣାଯାଇଛି । ସୁଶାନ୍ତ ଧଳସାମନ୍ତ ଏବେ ବଲାଙ୍ଗିର ଜେଲରେ ଥିବା ବେଳେ ସୁଶୀଲ ବାଲେଶ୍ୱର ଜେଲ୍ ରେ ଅଛି । ଜେଲ୍ ରେ ଅପରାଧୀଙ୍କ ଦବ୍ଦବା ସମ୍ପର୍କରେ ଜଣାପଡ଼ିବା ପରେ ଜିଲ୍ଲାର ଏସ୍ପିମାନଙ୍କୁ ଅବଗତ କରାଯାଉଛି । ଅପରେସନ୍ କ୍ଲିନ୍ଅପ୍ ଅନୁସାରେ ପଦକ୍ଷେପ ନିଆଯାଉଛି । କିଛିଦିନ ପୂର୍ବରୁ ଟିଟୋକୁ ଝାରପଡ଼ା ଜେଲରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଆଉ କିଛି ଅପରାଧୀଙ୍କୁ ଅନୁଗୁଳ, ଢେଙ୍କାନାଳ ଓ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଗ୍ୟାଙ୍ଗଷ୍ଟର ବିକ୍ରମ ମଲିକକୁ ଝାରପଡ଼ା ଜେଲରୁ ସମ୍ବଲପୁର ଜିଲ୍ଲା ଜେଲ୍ କୁ ସ୍ଥାନାନ୍ତର କରାଯାଇଛି । ସଂଗଠିତ ଅପରାଧକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍ କ୍ଲିନ୍ ଅପ୍ ।

ତଡ଼ିପାର୍ ହେବେ ପେଶାଦାର ଅପରାଧୀ ,ମାଷ୍ଟରକ୍ୟାଣ୍ଟିନ୍ ରୁ ଉଠିଲା ଉଠାଦୋକାନୀ :

ଅଭ୍ୟାସଗତ ପେଶାଦାର ଅପରାଧୀଙ୍କ ବିରୋଧରେ ତଡ଼ିପାର ପାଇଁ ସିପିଙ୍କୁ ସୁପାରିସ୍ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏହି ଅପରାଧୀମାନେ ଭବିଷ୍ୟତରେ ଅପରାଧ ଘଟାଇବାର ଆଶଙ୍କା ରହୁଛି । ତେଣୁ ସେମାନଙ୍କୁ ତଡ଼ିପାର କରିବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ୍ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଘଟଣାରେ ପ୍ରତିକ୍ରିୟା ରଖି ଡିସିପି କହିଛନ୍ତି ଯେ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ୧୦ରୁ ଅଧିକ ଫେରାର ଅଛନ୍ତି । ଫେରାର ଥିବା ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ସେପଟେ ନିଶା କାରବାରକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଗ୍ୟାଙ୍ଗୱାର ପରେ ପୋଲିସର ପଦକ୍ଷେପ ଆରମ୍ଭ ହୋଇଛି । ଛକରୁ ଉଠିବ ସମସ୍ତ ଉଠା ଦୋକାନ । ନିଶା କାରବାରକୁ ନେଇ ଗ୍ୟାଙ୍ଗୱାର ପରେ ଆରମ୍ଭ ହୋଇଛି ସଫେଇ ଅଭିଯାନ । ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଅବରୋଧ ମୁକ୍ତ କରିବାକୁ ଚାହୁଁଛି ପୋଲିସ । ସେହି କ୍ରମରେ ପ୍ରଥମେ ଏଠାରେ ଥିବା ଉଠାଦୋକାନୀଙ୍କୁ ଖାଲି କରାଯିବ । ଗତକାଲି ହଠାତ୍ ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣୁଥିଲେ କିଛି ଦୁର୍ବୃତ୍ତ । କେହି କିଛି ଜାଣିବା ପୂର୍ବରୁ ଖଣ୍ଡାରେ ମାରି ଚାଲିଥିଲେ ଚୋଟ ପରେ ଚୋଟ । ମାଷ୍ଟରକ୍ୟାଣ୍ଟିନ୍ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରାୟ ୧୫ ମିନିଟ କାଳ ଏଭଳି ଆତଙ୍କରାଜ ଚାଲିଥିଲା । ମାଷ୍ଟରକ୍ୟାଣ୍ଟିନ୍ ଗ୍ୟାଙ୍ଗୱରରେ ୩ ଜଣ ଆହତ ହୋଇଛନ୍ତି । ସବୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ସିସିଟିଭିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ନିଶା କାରବାରକୁ ନେଇ ଯୁକ୍ତିତର୍କ ପରେ ହଠାତ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସନ୍ଦେହ କରୁଛି ପୋଲିସ ।

Comments are closed.