ଧରାପଡ଼ିଲା ଚୀନ୍ ର ପରମାଣୁ ଟନେଲ୍

58

ନୂଆଦିଲ୍ଲୀ : ବିଶ୍ୱବିଜୟୀ ଲକ୍ଷ୍ୟରେ ଚୀନ୍ର ବିପଜ୍ଜନକ ପ୍ରୟାସ । ଯୁଦ୍ଧ ପାଇଁ ବଢ଼ାଉଛି ପରମାଣୁ ଶକ୍ତି । ଚୀନ୍ର ଦକ୍ଷିଣ ପ୍ରାନ୍ତରେ ନିର୍ଜନ ମରୁଭୂମିରେ କ୍ଷିପ୍ର ବେଗରେ ବିସ୍ତାର କରୁଛି ପରମାଣୁ ପରୀକ୍ଷଣ ଇଲାକା । ସାଟେଲାଇଟ୍ ଚିତ୍ରରୁ ମିଳିଛି ଏହାର ସ୍ପଷ୍ଟ ପ୍ରମାଣ । ନୂଆ ସୁଡ଼ଙ୍ଗ ସହ ନୂଆ ରାସ୍ତା ନିର୍ମାଣ ଚାଲିଛି । ଏଥିନେଇ ଏକ ଘରୋଇ ଭୌଗୋଳିକ ତର୍ଜମାକାରୀ ସଂସ୍ଥାକୁ ଖବର ମିଳିଥିଲା । ପୂର୍ବରୁ ଯେଉଁ ଅଞ୍ଚଳରେ ପରମାଣୁ ପରୀକ୍ଷଣ ହୋଇଥିଲା ଏହି ନୂଆ ସୁଡ଼ଙ୍ଗ ତାହାସହ ସଂଯୋଗ ରଖୁଥିବା ଜଣାପଡ଼ିଛି । ଏହାର ବ୍ୟବହାର କିଭଳି ସେଥିନେଇ କୌଣସି ତଥ୍ୟ ମିଳିପାରିନାହିଁ । ୧୯୯୦ ପରଠାରୁ ଚୀନ୍ କୌଣସି ପରମାଣୁ ପରୀକ୍ଷଣ କରିନାହିଁ ।

ବିଶ୍ୱର ଅଧିକାଂଶ ପରମାଣୁ ସମ୍ପନ୍ନ ଶକ୍ତି ଦେଶ ଏହି ସମୟ ମଧ୍ୟରେ ନୂଆ ପରୀକ୍ଷଣ ଉପରେ ରୋକ୍ ଲଗାଇଛନ୍ତି । କିନ୍ତୁ ଅନେକ ସମୟରେ ବିଶ୍ୱର ଅନ୍ୟ ରାଷ୍ଟ୍ର ନଜରରୁ ବର୍ତ୍ତିବା ପାଇଁ ଏହାର ଭୂତଳ ପରୀକ୍ଷଣ କରାଯାଉଛି । ଚୀନ୍ କ’ଣ ପୁଣି ଭୂତଳ ପରମାଣୁ ପରୀକ୍ଷଣ ପାଇଁ ଯୋଜନା ରଖିଛି କି ? ଆମେରିକା ଗଣମାଧ୍ୟମର ଏହି ତଥ୍ୟକୁ ୱାଶିଂଟନ ସ୍ଥିତ ଚୀନ୍ ଦୂତାବାସ ମୁଖପାତ୍ର ଖଣ୍ଡନ କରିଛନ୍ତି । ନୂଆ ସୁଡ଼ଙ୍ଗର ଚିତ୍ର ସହିତ ପଦାକୁ ଆସିଛି ମରୁଭୂମିରେ ଚୀନ୍ ର ସମରସଜ୍ଜା । ସିଜ୍ୟାଙ୍ଗ୍ ପ୍ରଦେଶର ହାମି ସହର ନକଟ ମରୁଭୂମିରେ ୧୧୦ଟି ସାଇଲେ ନିର୍ମାଣ କରାଯାଉଥିବା ଜଣାଯାଇଛି । ପରମାଣୁ ଶକ୍ତି ବଢ଼ାଇ ଆମେରିକାକୁ ଟକ୍କର ଦେବା ପାଇଁ ଚୀନ୍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ସାଇଲେ ହେଲା ଏକପ୍ରକାର ଅଣ୍ଡରଗ୍ରାଉଣ୍ଡ ଚାମ୍ବର । ଯେଉଁଠାରେ କ୍ଷେପଣାସ୍ତ୍ରକୁ ଫାୟାରିଂ ପାଇଁ ମହଜୁଦ୍ ରଖାଯାଇଥାଏ । କିନ୍ତୁ ବିଶେଷଜ୍ଞ ଆକଳନ କରିଛନ୍ତି ଚୀନ୍ ଅତି କମ୍ ରେ ୧୪୫ଟି ସାଇଲେ ନିର୍ମାଣ କରିଛି । ଏହା ଜରିଆରେ ନିଜର ପରମାଣୁ କ୍ଷମତା ବୃଦ୍ଧି ଦିଗରେ ଆଗକୁ ବଢ଼ୁଛି । ଯଦ୍ୱାରା ଆମେରିକା ଯାଏ ଲକ୍ଷ୍ୟଭେଦ କରିପାରିବ ଚୀନ୍ ।

ହଟ୍ ସ୍ପ୍ରିଂ-ଗୋଗରାରୁ ପଛକୁ ହଟିବ ଚୀନ୍ ! :

ପୂର୍ବ ଲଦାଖ ସୀମାକୁ ନେଇ ଶନିବାର ଅନୁଷ୍ଠିତ ଚୀନ୍-ଭାରତ କମାଣ୍ଡର ସ୍ତରୀୟ ଆଲୋଚନାର ନିଷ୍କର୍ଷ ଜଣାପଡିନାହିଁ । ତେବେ ମିଳୁଥିବା ସୂଚନାରୁ ଉଭୟ ଦେଶ ହଟ୍ ସ୍ପ୍ରିଂ-ଗୋଗରା-କୋଙ୍ଗକାଲା କ୍ଷେତ୍ରରୁ ପର୍ଯ୍ୟାୟକ୍ରମେ ହଟିବାକୁ ସହମତ ହୋଇଥିବା ଜଣାପଡିଛି । ଯଦି ଏଥିଲାଗି ସୈନ୍ୟ ଆଲୋଚନା ସଫଳ ହୋଇଥାଏ ତେବେ ସୀମାକୁ ନେଇ ଗତବର୍ଷରୁ ଜାରି ଉତ୍ତେଜନା ସାମାନ୍ୟ ପ୍ରଶମିତ ହୋଇପାରେ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ ହଟ୍ ସ୍ପ୍ରିଂ-ଗୋଗରାକୋଙ୍ଗକାଲା କ୍ଷେତ୍ରର ୧୫,୧୭ ଓ ୧୭-ଏର ପାଟ୍ରୋଲିଂ ପଏଣ୍ଟରେ ଅବସ୍ଥାପିତ ସୈନିକଙ୍କ ପ୍ରତ୍ୟାହାର ନେଇ ଉଭୟ ଦେଶ ସହମତିର ଅତ୍ୟନ୍ତ ନିକଟତର ହୋଇଛନ୍ତି । ତେବେ ପ୍ରସଙ୍ଗରେ ସମ୍ଭାବିତ ମିଳିତ ବୟାନ ନ ଆସିବା ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛିବି ସ୍ପଷ୍ଟଭାବେ କୁହାଯାଇପାରୁନି । ଶନିବାର ଅନୁଷ୍ଠିତ ବୈଠକରେ ଭାରତ ପକ୍ଷରୁ ୧୪ କୋର କମାଣ୍ଡରଙ୍କ ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ.ମେନନ ନେତୃତ୍ୱ ନେଇଥିବା ବେଳେ ଚୀନ୍ ପକ୍ଷରୁ ଦକ୍ଷିଣ ସିନଜିଆଙ୍ଗ ସୈନ୍ୟ ଜିଲ୍ଲା ମୁଖ୍ୟ ମେଜର ଜନେରାଲ ଲ୍ୟୁ ଲିନ୍ ଆଲୋଚନାରେ ଯୋଗ ଦେଇଥିଲେ । ବୈଠକରେ ଭାରତ ପକ୍ଷରୁ ଗତ ୧୫ମାସ ହେଲା ସୀମାରେ ସୈନ୍ୟଙ୍କ ମୁହାଁ ମୁହିଁ ପରିସ୍ଥିତି ଟାଳିବାକୁ ହେଲେ ପ୍ରଥମେ ଡିସ୍ଏନ୍ଗେଜ୍ମେଣ୍ଟ, ଡି-ଇଣ୍ଡକ୍ସନ ଓ ଡିଏସ୍କେଲେସନ୍ ଜରୁରି ବୋଲି ସ୍ପଷ୍ଟ କରିଦିଆଯାଇଥିଲା । ତେବେ ୧୫,୧୭ ଓ ୧୭ଏ ପଏଣ୍ଟରୁ ସୈନ୍ୟ ପ୍ରତ୍ୟାହର ସମ୍ଭବ ବୋଲି ଉଭୟ ପକ୍ଷ ଅନୁଭବ କରିଛନ୍ତି । ଏହି ଆଲୋଚନାରେ ଭାରତ ଏପ୍ରିଲ ୨୦୨୦ର ଯଥାସ୍ଥିତି ସମାଧାନ ଚାହୁଁଥିବା ବେଳେ ତାହା କ୍ରମଶଃ ସମ୍ଭବ ହେବ ବୋଲି ଏବେ ଆଶା କରାଯାଉଛି ।

Comments are closed.