ଭାରତ ହାତରେ ସୁରକ୍ଷା ପରିଷଦ ଡୋର

73

-ୟୁଏନ୍ଏସ୍ସିରେ ସ୍ଥାୟୀ ସଦସ୍ୟତା ଦାବି
-ମିଳିଲା ଉଜ୍ବେକିସ୍ତାନର ସମର୍ଥନ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା । ମାସେ ପାଇଁ ଜାତିସଂଘ ନିରାପତ୍ତା ପରିଷଦ ଭାରତ ନିର୍ଦ୍ଦେଶରେ କାର୍ଯ୍ୟ କରିବ । ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଅଗଷ୍ଟ ୧ରୁ ଗ୍ରହଣ କରିଥିବା ବେଳେ ୨ରୁ ପ୍ରଥମ କାର୍ଯ୍ୟ ଦିବସ ଆରମ୍ଭ ହେବ । ସାମୁଦ୍ରିକ ନିରାପତ୍ତା, ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେପଟେ ଚୀନ୍, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ.ତିରୁମୂର୍ତ୍ତି କହିଛନ୍ତି ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।

ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ନିରାପତ୍ତା ପରିଷଦରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଶକ୍ତିଶାଳୀ ୧୫ଟି ରାଷ୍ଟ୍ରକୁ ନେଇ ଗଠିତ ଜାତିସଂଘର ଅଧ୍ୟକ୍ଷ ଦାୟିତ୍ୱ ନେବା ପ୍ରଥମ । ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନିରାପତ୍ତା ପରିଷଦର ଅସ୍ଥାୟୀ
ସଦସ୍ୟ ଭାବେ ଭାରତ ଦୁଇବର୍ଷ ଲାଗି ମନୋନୀତ ହୋଇଛି । ଗତ ଜାନୁଆରୀ ୧ରୁ ଭାରତ ଏହି ସଦସ୍ୟତା ଲାଭ କରିଛି । ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପ୍ରଥମଥର ଲାଗି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି । ଆସନ୍ତାବର୍ଷ ଡିସେମ୍ବରରେ ଭାରତ ପୁଣି ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବ । ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆଫଗାନିସ୍ତାନରେ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତର ଅଧ୍ୟକ୍ଷତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି । ଜାତିସଂଘ ନିରାପତ୍ତା ପରିଷଦରେ ଚୀନ୍, ଫ୍ରାନ୍ସ,ଋଷ, ବ୍ରିଟେନ୍ ଓ ଆମେରିକା ଅଛନ୍ତି ସ୍ଥାୟୀ ସଦସ୍ୟ ।

ସେପଟେ ଭାରତ, ଏସ୍ତୋନିଆ, ଆୟାରଲ୍ୟାଣ୍ଡ, କେନିଆ,ମେକ୍ସିକୋ, ନାଇଜର, ନରୱେ, ସେଣ୍ଟ ଭିନ୍ସେଣ୍ଟ, ଟ୍ୟୁନିସିଆ, ଭିଏତ୍ନାମ ଆଦି ରାଷ୍ଟ୍ର ସମେତ ୧୫ ରାଷ୍ଟ୍ର ଅଛନ୍ତି ଅସ୍ଥାୟୀ ସଦସ୍ୟ । ଏପରି ସ୍ଥଳେ ପାକିସ୍ତାନର ଚିନ୍ତା କିନ୍ତୁ ବଢ଼ିବାରେ ଲାଗିଛି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୁଯୋଗର ଉପଯୋଗ କରି ପାକିସ୍ତାନ ଉପରେ କଡ଼ା କଟକଣା ସହିତ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଆଖିରୁ ନିଦ ହଜିଯାଇଛି । ତେବେ ସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତର ପ୍ରାର୍ଥିତ୍ୱକୁ ଉଜ୍ବେକିସ୍ତାନ ସମର୍ଥନ କରିଛି । ସେ କହିଛି ଜାତିସଂଘର ବଡ଼ ସଦସ୍ୟଙ୍କ ମଧ୍ୟରେ ଭାରତ ଅନ୍ୟତମ ଓ ଅନେକ ବର୍ଷରୁ ଭୂମିକା ନିର୍ବାହ କରିଆସୁଛି ।

Comments are closed.