ଆଜିଠୁ ଖୋଲିବ ଶୈବପୀଠ ଧବଳେଶ୍ୱର

74

ଆଠଗଡ : ଆଜିଠାରୁ ଖୋଲିବ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିର । କୋଭିଡ୍ ଗାଇଡଲାଇନ୍ରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ଅଗଷ୍ଟ ମାସର ଗାଇଡଲାଇନରେ ରାଜ୍ୟ ସରକାର କୋଭିଡ୍ କଟକଣା କୋହଳ କରିଥିଲେ । ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍ଆରସି । ମନ୍ଦିର ଖୋଲିବା ଦାବି ଜୋର ଧରିଥିଲା । ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ୍ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ । ଆଜି ମନ୍ଦିର ଖୋଲିବା ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।

ବୈଠକରେ ମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା । ପରେ ବାବା ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । କୋଭିଡ୍ ଗାଇଡଲାଇନରେ ମନ୍ଦିର ଖୋଲିବ । ମନ୍ଦିର ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିବ । ମନ୍ଦିର ଭିତରେ ଭୋଗ କରିବାକୁ ଅନୁମତି ଦିଆଯିବ ନାହିଁ । ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଓ ୬୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ ବାରଣ କରାଯାଇଛି । ଉପଜିଲ୍ଲାପାଳଙ୍କ କହିବା ଅନୁସାରେ ମନ୍ଦିର ଭିତରକୁ ଏକାଥରରେ ୫୦ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ । ମନ୍ଦିର ପରିସରରେ ଗେଦେରିଂ ହେବାକୁ ଦିଆଯିବ ନାହିଁ । ଝୁଲା ବ୍ରିଜ୍ ନିକଟରେ ବେଶୀ ଲୋକଙ୍କୁ ଆସିବାକୁ ଦିଆଯିବ ନାହିଁ । ସେଠାରେ ପୋଲିସ ମୁତୟନ କରାଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି ।

Comments are closed.