ତୃତୀୟ ଲହରର ପୂର୍ବାଭାସ !

0 72

-ପାର୍ବଣରେ ଭିଡ ଏଡାଇବାକୁ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର : ସରିନି କୋଭିଡ୍ ର ଦ୍ୱିତୀୟ ଲହର । ଡରାଇଲାଣି ଦୈନିକ ସଂକ୍ରମଣ ବୃଦ୍ଧି । ଚଳିତ ମାସରେ କୋଭିଡ୍ ର ତୃତୀୟ ଲହର ଆସିବ ବୋଲି ବିଭିନ୍ନ ମଡେଲ୍ ଓ ବିଶେଷଜ୍ଞମାନେ ଆକଳନ କରିଥିବା ବେଳେ ଗତ ଦୁଇଦିନ ଧରି ଯେଭଳି ସଂକ୍ରମଣ ବଢ଼ୁଛି ସେଥିରୁ ଏହି ଆଶଙ୍କା ବାରି ହୋଇପଡ଼ୁଛି । ଲଗାତାର ଦୁଇଦିନ ଧରି ୪୦ହଜାର ଉପରେ ରହୁଛି ପଜିଟିଭ୍ । ଦେଶରେ ଅଗଷ୍ଟ ୩ ତାରିଖରେ ଚିହ୍ନଟ ହୋଇଥିଲେ ୩୦,୫୪୯ ସଂକ୍ରମିତ । କିନ୍ତୁ ୪ ତାରିଖରେ ଏହା ୪୨,୬୨୫ ଥିଲା । ଗତ ୨୪ ଘଣ୍ଟାରେ ୪୨,୯୮୨ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୫୩୩ ଜଣଙ୍କ ଜୀବନ ଯାଇଛି । ଆଇଆଇଟି ହାଇଦ୍ରାବାଦ ଓ କାନପୁର ଗାଣିତ୍ୟିକ ମଡେଲ୍ ଏଥିନେଇ ଆଗରୁ ସତର୍କ କରାଇ ଦେଇଛି । କେରଳ ଓ ମହାରାଷ୍ଟ୍ରରେ ବଢ଼ୁଥିବା ମାମଲା ସ୍ଥିତିର ପୂର୍ବାନୁମାନକୁ ଦର୍ଶାଉଛି ।

ମଡେଲର ଅନୁମାନ ମୁତାବକ ଅକ୍ଟୋବରରେ ପିକ୍ ଆସିବ । ଦୈନିକ ୧ଲକ୍ଷରୁ ଦେଢ଼ଲକ୍ଷ ପର୍ଯ୍ୟନ୍ତ ସଂକ୍ରମଣ ବଢ଼ିପାରେ । ସେତେବେଳକୁ ଦେଶରେ ପାର୍ବଣ ଋତୁ । ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚେତାଇଛି କେନ୍ଦ୍ର । ପାର୍ବଣ ଋତୁରେ ଜନଗହଳି ଏଡାଇବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏ ସମ୍ପର୍କିତ କେନ୍ଦ୍ରର ମାର୍ଗଦର୍ଶିକାକୁ ସ୍ୱାଗତ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଟିକା ନେବା ପରେ ମଧ୍ୟ ଲୋକେ କରୋନା ଭୂତାଣୁର ବାହକ ପାଲଟିପାରନ୍ତି । ତେଣୁ ପୂଜାପର୍ବରେ ଭିଡ ନିୟନ୍ତ୍ରଣ ନକଲେ ସଂକ୍ରମଣ ପୁଣି ବଢିବ ବୋଲି ଚେତାଇ ଦେଇଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ଗତବର୍ଷ ଭଳି ଏଥର ମଧ୍ୟ ଗଣେଷ ପୂଜା ଓ ଦଶହରାରେ କେବଳ ପୂଜା କମିଟିଗୁଡିକ କେବଳ ବିଧି ଅନୁଯାୟୀ ପୂଜାକୁ ସୀମିତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେପଟେ ୬ଟି ରାଜ୍ୟର ୧୮ଟି ଜିଲ୍ଲାରେ ଆର-ଭାଲ୍ୟୁ ୧ ଉପରେ ରହିଛି । ଓଡ଼ିଶାରେ ଆର-ଭାଲ୍ୟୁ କମ୍ ଥିଲେ ମଧ୍ୟ ଭୁବନେଶ୍ୱର ଓ ପୁରୀରେ ୧ ଉପରେ ରହିବା ଚିନ୍ତାଜନକ ବୋଲି କହିଛନ୍ତି ନିରୋଜ ମିଶ୍ର ।

Leave A Reply

Your email address will not be published.