୪ ଦଶନ୍ଧି ପରେ ଐତିହାସିକ ବିଜୟ : ଆଗାମୀ ପିଢିକୁ ପ୍ରେରଣା ଦେବ

61

-ବିଜୟ ପରେ ଉତ୍ସବର ମାହୋଲ୍, ଚକ୍ ଦେ ଇଣ୍ଡିଆରେ କମ୍ପିଲା ପରିବେଶ
-୨ ଓଡ଼ିଆ ଖେଳାଳିଙ୍କ ପରିବାରକୁ ବଧେଇ ଜଣାଇଲେ ମୁଖ୍ୟମନ୍ତ୍ରୀ
-୧୬ରେ ଭୁବନେଶ୍ୱର ଆସିବାକୁ ଟିମ୍କୁ ନିମନ୍ତ୍ରଣ କଲେ ନବୀନ

ଭୁବନେଶ୍ୱର : ସଂଘର୍ଷପୂର୍ଣ୍ଣ ଓ ଉକ୍ରଣ୍ଠାଭରା ମ୍ୟାଚ୍ ରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଣା ଗୌରବ ଫେରିପାଇବା ରାସ୍ତାରେ ଏବେ ଭାରତୀୟ ହକି ଦଳ । ୧୯୮୦ ଋଷ ଅଲିମ୍ପିକ୍ସରେ ଦଳ ସ୍ୱର୍ଣ୍ଣପଦକ ପାଇଥିଲା । ଏ ମଝିରେ ଦୀର୍ଘ ୪୧ବର୍ଷ ବିତିବା ସହିତ ୯ଟି ଅଲିମ୍ପିକ୍ସ ଯାଇଛି । ମାତ୍ର ଗୋଟିଏ ହେଲେ ପଦକ ଜିତିନଥିଲା ଭାରତୀୟ ଦଳ । ଏପରିକି ୨୦୦୮ରେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିପାରିନଥିଲା । କିଛି ସମାଲୋଚକ
ଭାରତୀୟ ହକି ଯୁଗର ସମାପ୍ତି ଘୋଷଣା କରିଥିଲେ । ୨୦୨୧ ନୂଆ ଯୁଗର ଆରମ୍ଭ ବୋଲି ଏବେ ଦେଶସାରା ଚର୍ଚ୍ଚା ଚାଲିଛି । ବ୍ରୋଞ୍ଜ ପଥ ଦେଇ ନୂଆ ସ୍ୱର୍ଣ୍ଣିମ ଯୁଗ ଆଡେ ଭାରତୀୟ ହକି ଦଳ ଏବେ ଗତି କରୁଛି । ଯେଉଁ ସମୟରେ ହକି ଅତୀତ ହରାଇବାକୁ ବସିଥିଲା ଠିକ୍ ସେତିକି ବେଳେ ଆଗକୁ ଆସିଥିଲା ଓଡ଼ିଶା ।

୨୦୧୮ ମସିହାରୁ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ହକି ଟିମ୍ ର ଓଡ଼ିଶା ପ୍ରାୟୋଜକ ରହିଛି । କେବଳ ଏତିକି ନୁହେଁ ୨୦୧୮ ବିଶ୍ୱକପ୍ ମଧ୍ୟ ଆୟୋଜନ କରିଥିଲା । ଓଡ଼ିଶାର ସଫଳତାକୁ ଦେଖିଥିଲା ସାରାବିଶ୍ୱ । ଖାଲି ଏତିକି ନୁହେଁ, ୨୦୨୩ରେ ଆଉ ଏକ ବିଶ୍ୱକପ୍ ଆରମ୍ଭ କରିବ ଓଡ଼ିଶା । ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶବାସୀ ଦେଇଛନ୍ତି । ତାଙ୍କ ଉଦ୍ୟମ ବଳରେ ଅସ୍ତିତ୍ୱ ହରାଇଥିବା ହକି ଦଳ ଆଜି ଦୀର୍ଘ ୪୧ବର୍ଷ ପରେ ପଦକ ପାଇବାକୁ ସମର୍ଥ ହୋଇଛି । ଏହି ଅବସରରେ ବିଜୟୀ ଟିମ୍ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଦଳକୁ ‘ବ୍ରିଲିଆଣ୍ଟ ଇନ୍ ବ୍ଲୁ’ ବୋଲି କହିଛନ୍ତି । ସେ କହିଛନ୍ତି, ହକିର ଏହି ବିଜୟ ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଦେବ । ହକି ଓ କ୍ରୀଡାକୁ କ୍ୟାରିଅର କରିବାକୁ ହଜାର ହଜାର ପିଲାଙ୍କୁ ଉତ୍ସାହିତ କରିବ । ଶକ୍ତିଶାଳୀ ଜର୍ମାନୀ ସହ ଯେପରି ଭଲ ପ୍ରଦର୍ଶନ କରି ଭାରତ ଇତିହାସ ରଚିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ, କୋଚ ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ମାସ ୧୬ ତାରିଖରେ ଟିମ୍କୁ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥିସହିତ ଟିମ୍ ରେ ଥିବା ଓଡିଆ ଖେଳାଳିଙ୍କ ପାଇଁ ରାଜ୍ୟ ଆଜି ଗର୍ବିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଓଡ଼ିଆ ଖେଳାଳିଙ୍କ ପରିବାର ସହ ସେ ନିଜେ ଭିଡିଓ କନ୍ଫରେନ୍ସିଂରେ କଥା ହୋଇଛନ୍ତି । ଐତିହାସିକ ବିଜୟ ପାଇଁ ଦୁଇ ଓଡ଼ିଶା ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କ ପରିବାରକୁ ଶୁଭେଚ୍ଛା ଜଣାଇବା ସହ ଏ ଦୁହେଁ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି । ଖାଲି ଏତିକି ନୁହେଁ ସାରା ରାଜ୍ୟରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ନାଚଗୀତ ଓ ପାରମ୍ପରୀକ ବାଦ୍ୟର ତାଳେ ତାଳେ ଖୁସି ମନାଇଛନ୍ତି ଫ୍ୟାନ୍ । ଆଉ ‘ଚକ୍ ଦେ ଇଣ୍ଡିଆ’ ସ୍ଲୋଗାନ୍ରେ କମ୍ପିଛି ପୂରା ପରିବେଶ । ଭାରତୀୟ ହକି ପାଇଁ ଆଜି ଥିଲା ଐତିହାସିକ ଦିନ । ୪୧ବର୍ଷ ପରେ ଦେଶ ତାର ପୂର୍ବ ଗୌରବ ଆଡକୁ ମୁହାଁଉଛି ।

ମ୍ୟାଚ୍ ଆରମ୍ଭରୁ ଦବ୍ଦବା ଦେଖାଇଥିଲା ଜର୍ମାନୀ । ପ୍ରାଥମିକ ମିନିଟ୍ରେ ଜର୍ମାନୀ ଗୋଲ୍ ଦେଇଥିଲା । ମାତ୍ର ୧୭ତମ ମିନିଟ୍ ରେ ସିମରନ୍ଜିତ୍ ସିଂ ଗୋଲ୍ ଦେଇ ମ୍ୟାଚ୍କୁ ସମାନ ସ୍ତରକୁ ଆଣିଥିଲେ । ଏହାପରେ ଜର୍ମାନୀ ୨୪ ଏବଂ ୨୫ତମ ମିନିଟ୍ରେ ଗୋଲ୍ କରି ୩-୧ରେ ଅଗ୍ରଣୀ ଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷବେଳକୁ ଭାରତର ହାର୍ଦ୍ଦିକ ସିଂ ଓ ହରମୋନପ୍ରୀତ୍ ଗୋଲ ଦେଇ ୩-୩ ସ୍ତରକୁ ନେଇ ଆସିଥିଲେ । ତୃତୀୟ କ୍ୱାର୍ଟରରେ ରୂପିନ୍ଦର ସିଂ ଓ ସିମରନ୍ଜିତ୍ ଆଉ ଦୁଇଟି ଗୋଲ କରି ୩-୫ରେ ଅଗ୍ରଣୀ କରାଇଥିଲେ । ୪୮ତମ ମିନିଟ୍ ରେ ଜର୍ମାନୀ ଆଉ ଏକ ଗୋଲ କରି ଭାରତୀୟ କ୍ୟାମ୍ପରେ ସୃଷ୍ଟି କରିଥିଲା ବଡ଼ ହଲଚଲ । କିନ୍ତୁ ଭାରତୀୟ ପ୍ରତିରକ୍ଷାପନ୍ଥୀ ଆଉ ଗୋଲ କରିବାକୁ ସୁଯୋଗ ଦେଇନଥିଲେ । ଶେଷରେ ଗୋଲ ଲାଇନ୍ ରହିଲା ଜର୍ମାନୀ-୪ ଓ ଭାରତ-୫ । ଭାରତ ସଫଳତା ପଛରେ ନ୍ୟୁ ୱାଲ୍ ଗୋଲକିପର ଶ୍ରୀ ଜୈଶ୍ଙ୍କ ଅବଦାନ ରହିଛି । ମ୍ୟାଚ୍ର ୧୦ତମ, ୨୦ତମ ଏବଂ ୪୨ତମ ମିନିଟ୍ରେ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ ସେ । ମ୍ୟାଚ୍ର ଅନ୍ତିମ ୬ ମିନିଟ୍ ରେ ସେ ଅଟକାଇଥିଲେ ଦୁଇଟି ପେନାଲ୍ଟି କର୍ଣ୍ଣର । ଏଥିସହିତ ଡିଫେଣ୍ଡର ଅମିତ୍ ରୋହିଦାସ ଅଧାରୁ ଅଧିକ ସମୟ ଭାରତକୁ ରକ୍ଷା କରିଛନ୍ତି । ସେମିରେ ସେ ୧୪ଟି ପେନାଲ୍ଟି କର୍ଣ୍ଣରରୁ ୭ଟି ଅଟକାଇଥିବା ବେଳେ ଫାଇନାଲରେ ମଧ୍ୟ ସେହି କମାଲ ଦେଖାଇଥିଲେ ।

ନବୀନଙ୍କୁ ଧନ୍ୟବାଦ ଜଣାଇଲେ ମନପ୍ରୀତ୍ :

ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକି ଦଳ ମେଡାଲ ପାଇଛି । ଜର୍ମାନୀକୁ ୫-୪ର ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରିତ ସିଂ । ଏଭଳି ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନପ୍ରୀତ । ମନପ୍ରୀତ୍ ସୋସିଆଲ ମିଡିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ହକି ଇଣ୍ଡିଆର ପ୍ରାୟୋଜକ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି
ସଫଳତାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଫଳରେ ଦେଶ ପାଇଁ ଏଭଳି ସଫଳତା ହାସଲ କରିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମନପ୍ରୀତ ସିଂ ।

Comments are closed.