ଡ୍ରେନ ଜଳ ଘେରରେ ୫ ପରିବାର, ସ୍ଥାୟୀ ଡ୍ରେନ୍ ନିର୍ମାଣ କରିବାକୁ ଦାବୀ

77

ମାଲକାନଗିରି : ଗାଁ ମଝିରେ ବସବାସ କରୁଥିବା ବେଳେ ବେଳେ ଡ୍ରେନ୍ ନଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ଜଳବନ୍ଦୀ ହୋଇଯାଉଥିଲେ ଗ୍ରାମର ଏକାଧିକ ପରିବାର । ଗ୍ରାମରେ ଗତ ସାତ ବର୍ଷ ଧରି ଏଭଳି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ କେହି ଦୃଷ୍ଟି ଦେଉନଥିଲେ । ଏଥିପାଇଁ ସ୍ଥାନୀୟ ବିଡିଓ ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୫୯ ଗ୍ରାମକୁ ଯାଇ ବର୍ଷା ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଜଳବନ୍ଦୀ ହୋଇ ରହୁଥିବା ପ୍ରାଣ ରାୟ, ଜୀବନ ରାୟ, ବିନୋଦ ସରକାର, ରଞ୍ଜିତ ବର୍ମନ ଓ ନିରଞ୍ଜନ ଢାଲି ସମେତ ଅନ୍ୟାନ୍ୟ ପରିବାରକୁ ଭେଟି ଆଲୋଚନା କରିବା ସହ ଡ୍ରେନ୍ ନଥିବାରୁ ପାଣି ଜମା ହୋଇ ରହିଥିବା ଏକାଧିକ ସ୍ଥାନ ବୁଲି ଦେଖିଥିଲେ ।

ଚଳିତ ବର୍ଷର ପ୍ରଥମ ବର୍ଷାରେ ଏମଭି ୫୯ ଗ୍ରାମରେ ବସବାସ କରୁଥିବା ଏହି ଲୋକଙ୍କ ଘର ଜଳମଗ୍ନ ହୋଇ ରହିଥିଲା । ଯାହାଫଳରେ ଏହି ପରିବାରର ସଦସ୍ୟ ଘର ବାହାରକୁ ବାହାରି ପାରୁ ନଥିବା ବେଳେ ଅସୁରକ୍ଷିତ ଓ ସନ୍ତସନ୍ତିଆ ପରିବେଶରେ ବହୁ କଷ୍ଟରେ ଚଳୁଥିଲେ । ପଡିଆ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଘର ଗୁଡିକ ଠାରୁ ପକ୍କା ରାସ୍ତାର ଉଚ୍ଚତା ହୋଇଥିବା ବେଳେ ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ଘର ଗୁଡିକ ଜଳମଗ୍ନ ହୋଇ ରହୁଥିବା କହିଥିଲେ । ତୁରନ୍ତ ଅସ୍ଥାୟୀ ଡ୍ରେନ୍ ନିର୍ମାଣ କରିବାକୁ ସ୍ଥାନୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୨ ଶହ ମିଟର ସ୍ଥାୟୀ ଡ୍ରେନ୍ ନିର୍ମାଣ ପାଇଁ ଜିପିଡିପି, ବିପିଡିପି କିମ୍ବା ଅନ୍ୟାନ୍ୟ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ପ୍ରାଣ ରାୟଙ୍କ ଘର ସମ୍ମୁଖରେ ଏକ ଅସ୍ଥାୟୀ ଡ୍ରେନ୍ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା ବେଳେ ପ୍ରଶାସନ ସ୍ଥାୟୀ ଡ୍ରେନ୍ ନିର୍ମାଣ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ କହିଛନ୍ତି ।

Comments are closed.