ଏଥର ବି ପାର୍ବଣ କଟକଣା : ପୂଜା ହେବ, ଆସିବେନି ଭକ୍ତ

65

-କମ୍ ପିଲାରେ ଶିକ୍ଷାନୁଷ୍ଠାନରେ ହେବ ଗଣେଶ ପୂଜା
-ପୂଜା ପେଣ୍ଡାଲର ତିନିପାଖ ଆବଦ୍ଧ ରଖିବାକୁ ନିର୍ଦ୍ଦେଶ
-କର୍ତ୍ତା ଓ ପୂଜକଙ୍କ ସମେତ ୭ଜଣ ରହିପାରିବେ
-ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭୋଜିଭାତକୁ ବାରଣ

ଭୁବନେଶ୍ୱର : ପାର୍ବଣ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ ସହ ପୂଜା ଆୟୋଜନ ପାଇଁ କମିଟିଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି । ପୂର୍ବବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା ପାଳନ କରାଯିବ । ତେବେ ଯେଉଁ ପୂଜା କମିଟିଗୁଡ଼ିକ ସରକାର ଜାରି କରିଥିବା ମାର୍ଗଦର୍ଶିକ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସୂଚନା ଦିଆଯାଇଛି ।

ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳନ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରାଯାଇପାରିବ । ସମସ୍ତ କୋଭିଡ ନିୟମ ମାନି ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି । କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ କରିବା ସହିତ ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀପୂଜା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି ।

ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି କରାଯାଇଥିବା ବେଳେ ପୂଜା ମଣ୍ଡପରେ ସେମାନଙ୍କ ସମାଗମକୁ ବାରଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି । ପେଣ୍ଡାଲ ଓ ମଣ୍ଡପରେ ପୂଜା ପାଇଁ ପ୍ରଶାସନର ଅନୁମତି ନେବା ଆକଶ୍ୟକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଟ୍ୱିନ୍ସିଟିରେ କମିଶନରେଟ ପୋଲିସଠାରୁ ଅନୁମତି ନେବା ଦରକାର । କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

ପାର୍ବଣ ଋତୁରେ ପୂଜା ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯାଇ ପାରିବ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଆୟୋଜକଙ୍କୁ ଅନୁମତି ନିଆଯାଇପାରିବ । ଭିଡ଼ ଏଡ଼ାଇବା ପାଇଁ ପୂଜା ମଣ୍ଡପକୁ ଚାରିପଟୁ ଆବଦ୍ଧ ରଖାଯିବ ଏବଂ ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ । ମଣ୍ଡପ ଓ ପେଣ୍ଡାଲରେ ସାଜସଜ୍ଜାକୁ ମନା କରାଯାଇଥିବା ବେଳେ ମଣ୍ଡପକୁ ଶ୍ରଦ୍ଧାଳୁ ଆସିବା ପାଇଁ ବାରଣ କରାଯାଇଛି । ଅପରପକ୍ଷରେ ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ବ୍ୟବସ୍ଥା ରହିବ ନାହିଁ । ମଣ୍ଡପରେ ମୂର୍ତ୍ତିର ସର୍ବାଧିକ ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ । ପୂଜା ମଣ୍ଡପରେ ଗୋଟିଏ ସମୟରେ ୭ଜଣରୁ ଅଧିକ ରହିପାରିବେ ନାହିଁ । ମଣ୍ଡପରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ସାନିଟାଇଜେସନ୍କୁ ଗୁରୁତ୍ୱ ଦିଆଯାଇଛି । କୌଣସି ବିସର୍ଜନ ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ କର୍ତ୍ତୃପକ୍ଷ ତିଆରି କରିଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ପାର୍ବଣ ବେଳେ କୌଣସି ସଂଗୀତ କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ । କେହି ଆଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଆରସିଙ୍କ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।

Comments are closed.