ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

79

ଘଟଗାଁ : କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜିଠୁ ଖୋଲିଛି କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର । ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତଙ୍କ ନିମନ୍ତେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନେ ଗେଟ୍ ନଂ ୩ରେ ପ୍ରବେଶ କରି ସାନିଟାଇଜ୍ ହୋଇ ସାମାଜିକ ଦୂରତା ରକ୍ଷା କରିବା ସହ ବ୍ୟାରିକେଡରେ ଧାଡ଼ିରେ ଯାଇ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି । ଏହାପରେ ପ୍ରସ୍ଥାନ ଦ୍ୱାରରେ ବାହାରକୁ ବାହାରିବା ପରେ ଗେଟ୍ ନଂ ୪ ରେ ପ୍ରତ୍ୟାବର୍ତନ କରୁଛନ୍ତି । ମନ୍ଦିର ଭିତରକୁ ନଡ଼ିଆ, ଭୋଗସାମଗ୍ରୀ ଧୂପ ଦୀପ ଆଦି ନେବାକୁ ବାରଣ କରାଯାଇଛି । ୧୦ ବର୍ଷରୁ କମ୍ ବୟସର ପିଲା ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୂଳ ସମର୍ପଣ ବନ୍ଦ ରହିଛି । ମା ତାରିଣୀ ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ମନ୍ଦିରକୁ ପୂଜା ନିମନ୍ତେ ଆସୁଥିବା ଗାଡ଼ି ଗୁଡିକ ଗେଟ୍ ନଂ ୫ ରେ ପ୍ରବେଶ କରି ଗାଡ଼ି ପୂଜା କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ମାଙ୍କ ମନ୍ଦିର ପରିସରରେ ରହିଥିବା ଦୋକାନ ଗୁଡିକ ପରବର୍ତି ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିଛି । ମାଙ୍କ ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସଂନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ସମୟରେ ସାଧାରଣ ଭକ୍ତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ଆସନ୍ତା ୧୬ ତାରିଖ ଶ୍ରାବଣ ମାସ ସୋମବାର କାରଣରୁ ମନ୍ଦିର ପରିସରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

Comments are closed.