ଦଲାଲ୍ ଓ ଅପରାଧୀଙ୍କ କବଜାରେ ଟାଙ୍ଗରପାଲ୍ଲୀ ଥାନା, ସରକାରଙ୍କ ମୋ ପୁଲିସ ଯୋଜନା ଫେଲ୍

0 69

ରାଉରକେଲା : ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଶାସନ ଦେବାକୁ ନବୀନ ପଟ୍ଟନାୟକଙ୍କ ସରକାର ନିରନ୍ତର କାମ କରୁଥିବା ବେଳେ କିଛି ତଳ ସ୍ତରରେ ଭ୍ରଷ୍ଟ ଅସାଧୁ ଅଫିସର ଦଲାଲ ଓ ଅପରାଧୀ ମାନଙ୍କ ଦ୍ୱାରା ପରିଚାଳିତ ହୋଇ ନିଜର ସ୍ୱେଚ୍ଛାଚାରିତା, ମନମାନି ଓ ଅର୍ଥଲାଳସା ପ୍ରଚଳିତ ନିୟମ କାନୁନକୁ ଲୋକହସା କରୁଛି, ତାହାର ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ପୁଲିସ ଜିଲ୍ଲାରେ । ଫଳରେ ସରକାରଙ୍କ ମୋ ପୁଲିସ ଯୋଜନା ଏଠି ଫେଲ୍ ମାରିଛି । ସ୍ମାର୍ଟ ସିଟି, ମହାନଗର ରାଉରକେଲାର ଦକ୍ଷିଣ ଭାଗରେ ରହିଛି ଟାଙ୍ଗରପାଲ୍ଲୀ ଥାନା । ଆଦିବାସୀ ବହୁଳ ଏହି ଅଂଚଳବାସୀ ବିଭିନ୍ନ ସମସ୍ୟାରେ ଜର୍ଜରିତ । ସେଥି ମଧ୍ୟରୁ ଆଇନଶୃଙ୍ଖଳା ଅନ୍ୟତମ । ଫର୍ଟିଲାଇଜର ଅଂଚଳର ସାଧାରଣ ନିରୀହ ଜନତା ବିଭିନ୍ନ ମାମଲା ନେଇ ଥାନାକୁ ଆସିଲେ ନ୍ୟାୟ ପାଇଁ ନାକେଦମ ହେବାକୁ ପଡୁଥିବାର ଅଭିଯୋଗ ହୋଇଛି । ସ୍ଥଳ ବିଶେଷରେ ଦଲାଲ୍ ନ ଧରିଲେ ଥାନାରେ କୁଆଡେ ପଶି ହୁଏନି । ମଧ୍ୟସ୍ଥିଙ୍କ ପ୍ରରୋଚନାରେ ଥାନା ବାବୁ ବିଚାର କରିବା ବିଭିନ୍ନ ମହଲରେ ଭ୍ରୁକୁଂଚନ ସୃଷ୍ଟି କରୁଛି । ସ୍ଥାନୀୟ କନଷ୍ଟ୍ରକସନ କଲୋନୀରେ ରହୁଥିବା ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଯାହାଙ୍କ ନାମରେ ବିଭିନ୍ନ ଫୈାଜଦାରୀ ମାମଲାଠୁ ନେଇ ଦୁଷ୍କର୍ମ ଅଭିଯୋଗ ବିଚାରାଧିନ ରହିଛି, ସେ ଥାନାର ମାମଲତକାର ସାଜିବା ପୋଲିସ ପାଇଁ ହାସ୍ୟାସ୍ପଦ ଅବସ୍ଥା ସୃଷ୍ଟି କରିଛି ।

ଏମିତି ଆଉ ଦୁଇ ୩ ଜଣ ଦଲାଲ ନିୟମିତ ଥାନାରେ ହାଜିରା ଦେଉଛନ୍ତି । ବିଭିନ୍ନ ମାମଲାରେ ମଧ୍ୟସ୍ଥି ସାଜି ନିଜେ ପକେଟ ଗରମ କରିବା ସହ ତଥାକଥିତ ତଳିଆ ପୋଲିସ ଅଫିସରଙ୍କୁ ବି ଆପ୍ୟାୟିତ କରୁଛନ୍ତି । ଏହି ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ବର୍ଷ ବର୍ଷ ଧରି ଏକାଧିକ ବେଆଇନ ମଦ ଖଟି ଅବାଧରେ ଚାଲୁଛି । ଥାନାରେ ଏମାନଙ୍କ କାଟତି ମଧ୍ୟ କିଛି କମ୍ ନୁହେଁ । ଏହି ଥାନା ଅଂଚଳରେ ପାଖାପାଖି ୩୦ରୁ ଉର୍ଦ୍ଧ୍ବ ବେଇଆନ ଦେଶୀ ବିଦେଶୀ ମଦ ଦୋକାନକୁ ନେଇ ଛୋଟବଡ ଗଣ୍ଡଗୋଳ ଲାଗି ରହୁଛି । ଏନେଇ ପୋଲିସ ହୁଁ ଚୁଁ କରୁନି । ଏହି କାରଣରୁ ଅନେକ ନିରୀହ ଆରଏସପି କର୍ମଚାରୀ ନିଶା ଖାଇ ବରବାଦ ହେଉଛନ୍ତି । ଦରମା ପାଇବା ବେଳକୁ ମଦ ଖଟି ମାଲିକ ନିଜ ହାତରେ ଟଙ୍କା ଉଠାଇ ନେଉଛି । ବର୍ଷ ବର୍ଷ ଧରି ଏଟିଏମ କାର୍ଡ ମଦ ଖଟି ମାଲିକଙ୍କ ପାଖରେ ବନ୍ଧା ପଡିଛି । ଅନୁରୂପ ଭାବେ ଏହି ଛୋଟିଆ ଅଂଚଳରେ ଅବାଧରେ ଡ୍ରଗ୍ସ କାରବାର ବୃଦ୍ଧି ବୁଦ୍ଧିଜିବୀଙ୍କୁ ଚିନ୍ତାରେ ପକାଇଛି । ସଂଜ ସକାଳେ ଫର୍ଟିଲାଜର ଷ୍ଟାଡିୟମ, ହାଇସ୍କୁଲ ପଡିଆ ଓ ସୋନା ଉଦ୍ୟାନ ଭଳି ଏକାଧିକ ପରିତ୍ୟକ୍ତ ସ୍ଥଳରେ ଡ୍ରଗ୍ସ ଅଭ୍ୟସ୍ତଙ୍କ ଖଟି ଚାଲୁଛି । ପୋଲିସର ନିଷ୍କ୍ରିୟତା ନିଶାଖୋରଙ୍କୁ ସୁହାଉଛି । ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନି ।

ଏମିତି ଅବସ୍ଥାରେ ନିଶା କବଳକୁ ଚାଲିଯାଉଥିବା ଯୁବ ଗୋଷ୍ଠିଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବା ସାର ହୋଇଛି । ପୋଲିସ କେବଳ ଗାଡି କାଗଜପତ୍ର ଯାଂଚରେ ନିଜ କାର୍ଯ୍ୟ ଦକ୍ଷତାକୁ ସୀମିତ ରଖିବା ଯୋଗୁ ସାଧାରଣରେ ସମାଲୋଚନାର ପାତ୍ର ସାଜିଛି । କଂଟା ଓ ସଟ୍ଟା କାରବାର ମଧ୍ୟ ନିର୍ବଘ୍ନରେ ଜାରି ରହିଛି । ପୂର୍ବରୁ ଖ୍ୟାତି ଅର୍ଜନ କରିଥିବା ଏହି ଅଂଚଳକୁ ଅତୀତରେ ଅନେକ ଥାନାଧିକାରୀ ଭଲ ରାସ୍ତାକୁ ଆଣିଥିବା ବେଳେ ଆଜିକାଲି ଏହାର କାରବାର ଯୋର ଧରିଛି । ଖୁବ୍ ସନ୍ତର୍ପଣରେ ବାବୁଙ୍କୁ ସେଟିଂ କରି କାରବାର ଚଳାଇଥିବା ମାଫିଆ ରାଜ୍ ର ଉତଥାନ ନେଇ ଆଲୋଚନା ଶୁଣାଗଲାଣି । ଏସବୁ ଭିତରେ ନିରୀହ ଜନତା କେମିତି ସରକାରଙ୍କ ନୀତି ଆଦର୍ଶକୁ ବିଶ୍ୱାସ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.