ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ : ଚୟନର ୪୮ଘଣ୍ଟାରେ ପ୍ରାର୍ଥୀଙ୍କ ଅପରାଧ ତାଲିକା ଦିଅ

72

-ସହଜ ହେବନି ନେତାଙ୍କ ମାମଲା ପ୍ରତ୍ୟାହାର: ହାଇକୋର୍ଟଙ୍କ ଅନୁମତି ଲୋଡ଼ା

ନୂଆଦିଲ୍ଲୀ : ରାଜନୀତିରେ ଅପରାଧୀକରଣକୁ ନେଇ ସୁପ୍ରିମ୍କୋର୍ଟ ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜନୀତିକ ଦଳଗୁଡିକ ସେମାନଙ୍କର ପ୍ରାର୍ଥୀଙ୍କ ଚୟନର ୪୮ ଘଣ୍ଟା ମଧ୍ୟରେ ଅପରାଧିକ ରେକର୍ଡ ସାର୍ବଜନୀନ କରିବା ଜରୁରି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ହାଇକୋର୍ଟଙ୍କ ଅନୁମତି ବିନା ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର
ଅପରାଧିକ ସମ୍ବନ୍ଧିତ କୌଣସି ମାମଲା ପ୍ରତ୍ୟାହାର କରିବା ପୂର୍ବରୁ ପ୍ରଥମେ ହାଇକୋର୍ଟଙ୍କ ଅନୁମତି ମାଗିବା ଦରକାର । ନଭେମ୍ବରରେ ଅନୁଷ୍ଠିତ ବିହାର ନିର୍ବାଚନ ସମ୍ବନ୍ଧିତ ଏକ ପୂର୍ବ ରାୟରେ ସୁପ୍ରିମକୋର୍ଟ ଚଳିତ ବର୍ଷ ଫେବୃଆରୀରେ କହିଥିଲେ ଯେ, ପ୍ରାର୍ଥୀମାନେ ଚୟନ ହେବାର ୪୮ ଘଣ୍ଟା ମଧ୍ୟରେ କିମ୍ବା ନାମାଙ୍କନ ପତ୍ର ଦାଖଲ କରିବାର ପ୍ରଥମ ତାରିଖର ଅତି କମ୍ ରେ ଦୁଇ ସପ୍ତାହ ପୂର୍ବରୁ ଏହି ବିବରଣୀ ଅପଲୋଡ୍ କରିବେ । ଏବେ ତାହା କେବଳ ୪୮ ଘଣ୍ଟା ମଧ୍ୟରେ ସୀମିତ ଅଛି ।

ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ ନ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି । ସିଜେଆଇ ଏନ୍.ଭି.ରମଣା କହିଛନ୍ତି, ଆମେ ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ କହିଆସୁଛୁ ଯେ ସେମାନେ ସାଂସଦ ଓ ବିଧାୟକଙ୍କ ସମ୍ବନ୍ଧିତ ଅପରାଧିକ ମାମଲାକୁ ଗୁରୁତର ସହ ନିଅନ୍ତୁ । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କିଛି ପଦକ୍ଷେପ ନିଆଗଲା ନାହିଁ । ସୁପ୍ରିମକୋର୍ଟ ଏହି ମାମଲାରେ ଇଡିର ଷ୍ଟାଟସ୍ ରିପୋର୍ଟ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଆଜି ଆମେ ଖବରକାଗଜରେ ସବୁ ରିପୋର୍ଟ ପଢ଼ୁଛୁ । ସବୁକିଛି ମିଡିଆକୁ ଆଗ ମିଳିଯାଉଛି, କିନ୍ତୁ ଏଜେନ୍ସିମାନେ କୋର୍ଟଙ୍କୁ କିଛି ଜଣାଉ ନାହାନ୍ତି । ଇଡିର ଆଫିଡେଭିଟ୍ ମଧ୍ୟ ଫର୍ମାଟ୍ରେ ନାହିଁ ଏବଂ ଏଥିରେ କେବଳ ଅଭିଯୁକ୍ତଙ୍କ ତାଲିକା ରହିଛି । ସୁପ୍ରିମକୋର୍ଟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଛନ୍ତି । ଦୁଇ ସପ୍ତାହ ସମୟ ଭିତରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ଘଟଣାର ଖୁଲାସା ହେବାର ନିର୍ଦ୍ଦେଶ ପାଳନ ନ କରିବାରୁ ସିପିଆଇ (ଏମ୍) ଏବଂ ଏନ୍ସିପି ସୁପ୍ରିମକୋର୍ଟଙ୍କୁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଛନ୍ତି ।

କ୍ରିମିନାଲ୍ ରେକର୍ଡ ଲୁଚାଇବା ପଡ଼ିଲା ମହଙ୍ଗା : ୮ ଦଳକୁ ସୁପ୍ରିମ୍ ଛାଟ

ବିହାର ନିର୍ବାଚନରେ ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ସାର୍ବଜନୀନ ନକରିବା କାରଣରୁ ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ଛାଟ ଲାଗିଛି । କୋର୍ଟ ମଙ୍ଗଳବାର ଏହାର ବିଚାର କରି ଜୋରିମାନା ଲଗାଇଛନ୍ତି । ଏହା ସହିତ ଶୀର୍ଷ ଅଦାଲତ ନିର୍ବାଚନ ସୁଧାରକୁ ନେଇ ନିର୍ବାଚନ ଆୟୋଗକୁ ମଧ୍ୟ ୩ଟି ନିର୍ଦ୍ଦେଶ ଦେଇଛନ୍ତି । ବିହାର ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସାର୍ବଜନୀନ କରିନଥିବାରୁ ବିଜେପି, କଂଗ୍ରେସ ସମେତ ୮ ରାଜନୈତିକ ଦଳ ଉପରେ ଆଚରଣ ବିଧି ଉଲ୍ଲଂଘନ ନେଇ ଏହି ଜୋରିମାନା ଲଗାଇଛନ୍ତି । କୋର୍ଟ ସିପିଏମ୍ ଏବଂ ଏନ୍ସିପିକୁ ୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି । କୋର୍ଟଙ୍କ ଆଦେଶ ସମ୍ପୂର୍ଣ୍ଣ ଅବମାନନା କରିଥିବା କାରଣରୁ ଏହି ଫାଇନ୍ ଲଗାଇଛନ୍ତି କୋର୍ଟ ।

ସେହିପରି ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ, ବିଏସ୍ପି, ସିପିଆଇ ଉପରେ କୋର୍ଟ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି । ଏହା କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ରେ ପାଳନ କରିନଥିବାରୁ ଲଗାଯାଇଥିବା କୋର୍ଟ କହିଛନ୍ତି । ମତଦାନ ପୂର୍ବରୁ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ସାର୍ବଜନୀନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନ ସମୟରେ ଲାଗୁ କରାଯିବ । ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ସମ୍ପୂର୍ଣ୍ଣ ତଥ୍ୟ ସେଥିରେ ଅପଲୋଡ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ କୋର୍ଟ କହିଛନ୍ତି । ଏଥିରେ ପ୍ରାର୍ଥୀ କେଉଁ କେଉଁ ଅପରାଧ ସହିତ ଜଡ଼ିତ ଏବଂ ଏହାର ସ୍ଥତି ଏବେ କ’ଣ ସେ ନେଇ ସଧାରଣ ଜନତା ତଥ୍ୟ ପାଇପାରିବେ ।

Comments are closed.